Latest Odisha News

BREAKING NEWS

ଭାରତରେ ଆସିବ କି ପ୍ଲାଷ୍ଟିକ୍ ନୋଟ୍? ଆରବିଆଇ କରୁଛି ବିଚାର

ନୂଆଦିଲ୍ଲୀ: ଭାରତରେ ନଗଦ କାରବାର ବୃଦ୍ଧି ପାଉଥିବା ବେଳେ ଖୁବ୍ ଶୀଘ୍ର ଦେଶରେ ପଲିମର (ପ୍ଲାଷ୍ଟିକ୍) ମୁଦ୍ରା ବା ନୋଟ୍ ପ୍ରଚଳନ କରିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବିଚାର କରୁଛି। ଏ ନେଇ ଶୁକ୍ରବାର ଦିନ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି।

 

ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ କହିବା ଅନୁଯାୟୀ, ଦେଶରେ ପ୍ଲାଷ୍ଟିକ୍ କରେନ୍ସି ନୋଟ୍ ଛାପିବା ପ୍ରସ୍ତାବ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି। କାଗଜ ନୋଟ୍ ବ୍ୟବହାର ବହୁଳ ମାତ୍ରାରେ ବଢ଼ୁଥିବା ବେଳେ ପ୍ରାୟ ଏକ ଦଶନ୍ଧି ପରେ ପୁଣିଥରେ ଏହି ଯୋଜନା ଉପରେ ବିଚାର କରାଯାଉଛି।

 

କାଗଜ ନୋଟ୍ ଛାପିବାର ମୂଲ୍ୟ ବା ଖର୍ଚ୍ଚ ଅଧିକ ହେଉଛି।

କାଗଜ ନୋଟ୍ ଗୁଡ଼ିକ ଶୀଘ୍ର ଚିରିଯିବା ବା ଖରାପ ହୋଇଯାଉଥିବାରୁ ଏହାକୁ ବାଦ୍ ଦେବା ବା ନଷ୍ଟ କରିବା ପରିମାଣ ବଢ଼ିବାରେ ଲାଗିଛି। ତେଣୁ ପ୍ଲାଷ୍ଟିକ୍ ନୋଟ୍ ଏହାର ଏକ ଦୀର୍ଘସ୍ଥାୟୀ ବିକଳ୍ପ ହୋଇପାରିବ ବୋଲି ଆଶା କରାଯାଉଛି।

 

ଏହା ପୂର୍ବରୁ ମଧ୍ୟ ପ୍ଲାଷ୍ଟିକ୍ ନୋଟ୍ ଆଣିବା ନେଇ ଯୋଜନା ହୋଇଥିଲା। ୨୦୧୪ ମସିହା ଫେବୃଆରୀ ମାସରେ କେନ୍ଦ୍ର ସରକାର ସଂସଦରେ ଜଣାଇଥିଲେ ଯେ, ୧୦ ଟଙ୍କିଆ ମୂଲ୍ୟର ୧୦୦ କୋଟି (ଏକ ବିଲିୟନ) ପ୍ଲାଷ୍ଟିକ୍ ନୋଟ୍ ପ୍ରସ୍ତୁତ କରାଯାଇ ପରୀକ୍ଷାମୂଳକ ଭାବେ ବଜାରକୁ ଛଡ଼ାଯିବ।

 

ଭୌଗୋଳିକ ଏବଂ ଜଳବାୟୁ ବିବିଧତାକୁ ଦୃଷ୍ଟିରେ ରଖି ଦେଶର ୫ଟି ସହର ଭୁବନେଶ୍ୱର, କୋଚି, ମହୀଶୂର, ଜୟପୁର ଏବଂ ଶିମଲାକୁ ଏହି ପରୀକ୍ଷଣ ପାଇଁ ମନୋନୀତ କରାଯାଇଥିଲା।

 

ତେବେ ସେହି ସମୟରେ କିଛି ବୈଷୟିକ ଏବଂ ପରିଚାଳନାଗତ (ଟେକ୍ନୋଲୋଜିକାଲ୍ ଓ ଅପରେସନାଲ୍) ସମସ୍ୟା ଦେଖାଦେବାରୁ ଏହି ପ୍ରକଳ୍ପକୁ ସ୍ଥଗିତ ରଖାଯାଇଥିଲା।

 

ଏବେ ପୁଣିଥରେ ଏହି ଦିଗରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ସ୍ପଷ୍ଟ ହୋଇଛି।

Comments are closed.