ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହ ବା ହିଟ୍ ୱେଭକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ ସ୍କୁଲ ଗୁଡ଼ିକର ଖରାଛୁଟି ଅବଧିକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ନେଇ ସୂଚନା ଦେଇଛନ୍ତି।
ଖରାଛୁଟି ବୃଦ୍ଧି ସମ୍ଭାବନାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ “ଖରାଛୁଟି ବଢ଼ିବ କି ନାହିଁ ତାହା ସମୟ କହିବ। ସ୍କୁଲ ଖୋଲିବା ସମୟରେ ପାଗର ସ୍ଥିତି କିପରି ରହିବ, ତାହାକୁ ଦେଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।”
“ଯଦି ଖରା ନକମେ, ତେବେ ଛୁଟି ବଢ଼ାଯାଇପାରେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା ସ୍ୱାସ୍ଥ୍ୟ ହେଉଛି ଆମର ପ୍ରଥମ ପ୍ରାଥମିକତା।”
ରାଜ୍ୟରେ ପ୍ରବଳ ଖରା ଓ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ରାଜ୍ୟ ସରକାର ଏପ୍ରିଲ ୨୭ ତାରିଖରୁ ସମସ୍ତ ସ୍କୁଲ ପାଇଁ ଆଗୁଆ ଖରାଛୁଟି ଘୋଷଣା କରିଥିଲେ।
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଏହି ଖରାଛୁଟି ଜୁନ୍ ୧୭ ତାରିଖରେ ଶେଷ ହେବାର ଥିଲା ଏବଂ ସ୍କୁଲଗୁଡ଼ିକ ପୁଣି ଖୋଲିବାର ଥିଲା।
ଗ୍ରୀଷ୍ମପ୍ରବାହର ତୀବ୍ରତାକୁ ଦୃଷ୍ଟିରେ ରଖି ଏହି ଛୁଟି ଅବଧିରେ ପରିବର୍ତ୍ତନ କରାଯାଇପାରେ ବୋଲି ବିଭାଗୀୟ ଅଧିକାରୀମାନେ ଇଙ୍ଗିତ ଦେଇଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଯଦି ଆଗାମୀ ଦିନରେ ତାପମାତ୍ରା ନ ଖସେ, ତେବେ ଛାତ୍ରଛାତ୍ରୀଙ୍କ ହିତ ପାଇଁ ସରକାର ଖରାଛୁଟିକୁ ଆହୁରି କିଛି ଦିନ ବୃଦ୍ଧି କରିପାରନ୍ତି। ଖୁବ୍ ଶୀଘ୍ର ଏ ନେଇ ସରକାରୀ ସ୍ତରରେ ବିଧିବଦ୍ଧ ଘୋଷଣା କରାଯିବାର ସମ୍ଭାବନା ରହିଛି।