Latest Odisha News

BREAKING NEWS

ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଗାଏବ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ବାରିପଦା: ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଗାଏବ। ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀଙ୍କ ଓଡ଼ିଆ ବିଷୟର ଉତ୍ତର ଖାତା ଗାଏବ ହୋଇଯାଇଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟରେ। ଏ ନେଇ ମୂଲ୍ୟାୟନ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବା ପରେ ଘଟଣା ପଦାକୁ ଆସିଛି।

ଚିଠିରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଉଚ୍ଚ କର୍ତ୍ତୃପକ୍ଷ 149KA090 ରୁ 149KA102 ରୋଲ ନମ୍ବର ଥିବା ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ହଜିଯାଇଥିବା ଉଲ୍ଲେଖ କରିବା ସହ ହଜିଯାଇଥିବା ଉତ୍ତର ଖାତା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ଅନୁରୋଧ କରିଥିଲେ।

ଶ୍ରୀମା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ନଟବର ଗିରି କହିଛନ୍ତି, ଆମେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ସୂଚନା ପାଇଥିଲୁ ଯେ ୧୨ଟି ଉତ୍ତର ଖାତା ହଜି ଯାଇଛି। ଆମେ ସବୁଠି ଖୋଜାଖୋଜି କରିଛୁ, କିନ୍ତୁ କିଛି ମିଳିନାହିଁ।

ପ୍ରଧାନଶିକ୍ଷକଙ୍କ କହିବାନୁସାରେ, ପରୀକ୍ଷା ସରିବା ପରେ ଉତ୍ତର ଖାତା ସିଲ୍ କରାଯାଇ ପର୍ଯ୍ୟବେକ୍ଷକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ପର୍ଯ୍ୟବେକ୍ଷକ ଉତ୍ତର ଖାତାର ପ୍ୟାକେଟ୍ଗୁଡ଼ିକୁ ହବ୍ ସେଣ୍ଟରକୁ ନେଇଯିବା ପରେ ସେଗୁଡ଼ିକୁ ଡାକ ଯୋଗେ ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଇଥିଲା। ସେପଟେ ଏହି ଘଟଣା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।

ଏପରିକି ସେମାନେ ପରୀକ୍ଷା ମଧ୍ୟ ଠିକ୍ ଭାବେ ଦେଇପାରି ନ ଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ ମନୋଭାବ ଆଦୌ ଗ୍ରହଣୀୟ ନୁହେଁ। ପିଲାଙ୍କ ଭବିଷ୍ୟତକୁ ନେଇ ଆମେ ଚିନ୍ତାରେ ପଡ଼ିଯାଉଛୁ ବୋଲି ଅଭିଭାବକ ଅଜିତ କୁମାର ଦାସ କହିଛନ୍ତି।

ଇତିମଧ୍ୟରେ ହଜି ଯାଇଥିବା ଉତ୍ତର ଖାତା ମିଳିଥିବାରୁ ଏବଂ ଭୁଲବଶତଃ ଉତ୍ତର ଖାତା ଅନ୍ୟ କଲେଜକୁ ପଠାଯାଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଅପରପକ୍ଷରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ମାଟ୍ରିକ ପରୀକ୍ଷା ବେଳେ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଭାଇରାଲ ହେବା, ପ୍ରିଣ୍ଟିଂ ଭୁଲ୍ ଆଦିକୁ ନେଇ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ବା ବିଏସଇ ସମାଲୋଚିତ ହୋଇଥିବା ବେଳେ ଏବେ ସିଏଚଏସଇ ଅଡୁଆରେ ପଡ଼ିଛି।

 

Leave A Reply

Your email address will not be published.