ବାରିପଦା: କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ଼, ଅବସ୍ଥା ସଂକଟାପନ୍ନ। ମୟୂରଭଞ୍ଜ ଜିଲ୍ଲା ବାଇଗଣବାଡ଼ିଆ ସ୍ଥିତ ବିବି କଲେଜରେ ଯୁକ୍ତ ୨ ଛାତ୍ରଙ୍କୁ ଛୁରାମାଡ଼। ସାମାନ୍ୟ ବଚସାରୁ ଛୁରାମାଡ଼ କଲେ ଆଉ ଜଣେ ଛାତ୍ର। ଗୁରୁତର ଛାତ୍ର ଜଣଙ୍କ ପିଆର୍ଏମ୍ ମେଡିକାଲ୍ରେ ଭର୍ତ୍ତି। ଛୁରାମାଡ଼ କରିଥିବା ଛାତ୍ରକୁ କୁଳିଅଣା ପୋଲିସର ଜିମା ଦେଲେ ଅନ୍ୟ ଛାତ୍ର।
ସୂଚନାନୁଯାୟୀ, ବାଇଗଣ ବାଡ଼ିଆ ସ୍ଥିତ ବି ବି ମହାବିଦ୍ୟାଳର +୨ ଦ୍ଵିତୀୟ ବର୍ଷ ବାଣିଜ୍ୟ ବିଭାଗର ଛାତ୍ର ପ୍ରହ୍ଲାଦ ବିନ୍ଧାଣିଙ୍କୁ ଛୁରାମାଡ଼ ହୋଇଛି। କଲେଜ ପରିସରରେ ଏହି ଘଟଣା ଘଟିଛି। ଛୁରାମାଡ଼ରେ ପ୍ରହ୍ଲାଦଙ୍କ ଦେହରେ ଗଭୀର କ୍ଷତ ହୋଇ ଅନ୍ତଃନଳୀ ବାହାରି ଆସିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା।
ଅବସ୍ଥା ଗୁରୁତ୍ତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। କଲେଜ ପରିସରରେ ଅଶାନ୍ତ ପରିବେଶକୁ ସ୍ଥାନୀୟ ଲୋକେ ଗ୍ରହଣ କରିପାରି ନାହାନ୍ତି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କଲେଜ ଫାଟକରେ ତାଲା ପକାଇ ସ୍ଥାନୀୟ ଲୋକେ ପ୍ରତିବାଦ କରିଛନ୍ତି। ଛୁରାମାଡ଼ କରିଥିବା ଛାତ୍ରକୁ କୁଳିଅଣା ପୋଲିସ ଅଟକ ରଖିଛି।