Latest Odisha News

BREAKING NEWS

Sonia Gandhi Apology Demand: ପିଏମଙ୍କୁ ନେଇ ସଂସଦରେ ହଟ୍ଟଗୋଳ, ମୋଦିଙ୍କୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ନାରାରେ କମ୍ପିଲା ଗୃହ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଶେଷ ସପ୍ତାହ ଆଜି ଜୋରଦାର ହଟ୍ଟଗୋଳ ସହ ଆରମ୍ଭ ହେଲା। ଲୋକସଭା ଆରମ୍ଭ ହେବା ପରେ, ବାଚସ୍ପତି ଓମ୍ ବିର୍ଲା ପୂର୍ବତନ ଲୋକସଭା ସାଂସଦଙ୍କ ଦେହାନ୍ତ ପାଇଁ ଶୋକ ଶୋଭା କରିଥିଲେ। ସଂସଦ ସଦସ୍ୟମାନେ ସେମାନଙ୍କ ସମ୍ମାନାର୍ଥେ ଏକ ମୁହୂର୍ତ୍ତ ନୀରବତା ପାଳନ କରିଥିଲେ। ଏହା ପରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ହୋଇଥିବା ଅପମାନକୁ ନେଇ ଲୋକସଭା ଏବଂ ରାଜ୍ୟସଭା ଉଭୟରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। କଂଗ୍ରେସ ରାଲିରେ ପିଏମ୍ ମୋଦିଙ୍କ ଅପମାନକୁ ନେଇ କମ୍ପିଲା ଲୋକସଭା ଓ ରାଜ୍ୟସଭା।

ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ରାଜ୍ୟସଭାରେ ଦାବି କଲେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ତାଙ୍କ ପଛେ ପଛେ ଲୋକସଭାରେ ପାଳି ଧରିଲେ କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜଜୁ। ପିଏମ୍ ମୋଦିଙ୍କ ଅପମାନକୁ ନେଇ ଆଜି ସଂସଦ ସରଗରମ ରହିଲା। ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ, ୨୦୧୪ରେ ଜଣେ ବିଜେପି ସାଂସଦ ବିରୋଧୀଙ୍କ ପାଇଁ ଅପଶବ୍ଦ ବ୍ୟବହାର କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ବିରୋଧ କରି ତୁରନ୍ତ କ୍ଷମା ମାଗିବାକୁ କହିଥିଲେ। ବିଜେପି ନେତା ବି କ୍ଷମା ମାଗିଥିଲେ। କଂଗ୍ରେସର ରାଲିରେ ପ୍ରଧାନମନ୍ତ୍ରୀଙ୍କ ପାଇଁ କବର ଖୋଳିବା କଥା କୁହାଗଲା, ଯାହାକି ନିନ୍ଦନୀୟ। ତେଣୁ ଦଳ ନେତୃତ୍ଵ ଖୁବଶୀଘ୍ର ଏହି ଘଟଣାରେ କ୍ଷମା ମାଗିବା ଉଚିତ୍।

ସେହିପରି କିରଣ ରିଜ୍ଜୁ କହିଥିଲେ ଯେ, ଦିଲ୍ଲୀର ରାମଲୀଲା ମୈଦାନରେ କଂଗ୍ରେସ ଦ୍ଵାରା ଆୟୋଜିତ ରାଲିରେ ପିଏମ୍ ମୋଦିଙ୍କ ପାଇଁ କବର ଖୋଳିବା ନେଇ ନାରା ଦିଆଗଲା। ଏହି ସମୟରେ ଦଳର ନେତୃତ୍ଵମାନେ ଉପସ୍ଥିତ ଥିଲେ। ଏହାଠାରୁ ଅଧିକ ଲଜ୍ଜାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଏହି ଦେଶ ପାଇଁ ଆଉ କିଛି ହୋଇନପାରେ। ଏଥିପାଇଁ କଂଗ୍ରେସକୁ ତୁରନ୍ତ କ୍ଷମା ମାଗିବା ଦରକାର ବୋଲି ଗୃହରେ ଦାବି ଉଠିଥିଲା।

Leave A Reply

Your email address will not be published.