Latest Odisha News

BREAKING NEWS

ବୋଡୋ ରାଜିନାମା ଆସାମ ପାଇଁ ନୂତନ ସୂର୍ଯ୍ୟୋଦୟ ଆଣିବ: ପ୍ରଧାନମନ୍ତ୍ରୀ

ଗୌହାଟୀ: ହିଂସା ମାର୍ଗରେ ଚାଲିଥିବା ଲୋକମାନେ ବୋଡୋ କ୍ୟାଡରଙ୍କ ଭଳି ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାଙ୍କୁ ଫେରିଆସନ୍ତୁ ବୋଲି ଆଜି ଏକ ଭାବପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଆସାମର କୋକ୍ରାଝରଠାରେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷର ଉପଲକ୍ଷେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଂଶଗ୍ରହଣ କରିଥିଲେ ।

୨୭ ଜାନୁଆରୀ ୨୦୨୦ରେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷରିତ ହେବା ପରେ ଏହା ହେଉଛି ଉତର ପୂର୍ବାଂଚଳକୁ ତାଙ୍କର ପ୍ରଥମ ଗସ୍ତ ।
“ଉତର ପୂର୍ବ ହେଉ କିମ୍ବା ନକ୍ସଲ କ୍ଷେତ୍ର ଅଥବା ଜମ୍ମୁ ଓ କଶ୍ମୀର, ଯେଉଁମାନେ ଅସ୍ତ୍ରଶସ୍ତ୍ର ଏବଂ ହିଂସାରେ ବିଶ୍ୱାସ କରୁଛନ୍ତି ସେମାନେ ବୋଡୋ ଯୁବକମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମୁଖ୍ୟଧାରାକୁ ଫେରିଆସନ୍ତୁ । ଚାଲିଆସନ୍ତୁ ଏବଂ ଜୀବନକୁ ଉପଭୋଗ କରନ୍ତୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ବୋଡୋ ନେତା ଉପେନ୍ଦ୍ର ନାଥ ବ୍ରହ୍ମାଜୀ ଓ ରୁପନାଥ ବ୍ରହ୍ମାଜୀଙ୍କ ଯୋଗଦାନକୁ ସ୍ମରଣ କରିଥିଲେ ।
ବୋଡୋ ରାଜିନାମା-ସବକା ସାଥ ସବକା ବିକାଶ ସବକା ବିଶ୍ୱାସର ପ୍ରତିଫଳନ ।

ବୋଡୋ ରାଜିନାମା ପାଇଁ ସକାରାତ୍ମକ ଭୂମିକା ଗ୍ରହଣ କରିଥିବା ଅଖିଳ ବୋଡୋ ଛାତ୍ର ସଂଗଠନ (ଏବିଏସୟୁ), ଜାତୀୟ ବୋଡୋଲାଣ୍ଡ ଗଣତାନ୍ତ୍ରିକ ଫ୍ରଂଟ (ଏନଡିଏଫବି), ବିଟିସିର ମୁଖ୍ୟ ଶ୍ରୀ ହଗ୍ରମା ମାହିଲାରେ ଏବଂ ଆସାମ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । “ଆଜି ହେଉଛି ଆସାମ ସମେତ ସମଗ୍ର ଉତର ପୂର୍ବାଂଚଳ ପାଇଁ ଏକବିଂଶ ଶତାବ୍ଦୀର ଏକ ନୂଆ ଆରମ୍ଭ, ନୂତନ ସୂର୍ଯ୍ୟୋଦୟ, ନୂଆ ପ୍ରେରଣାକୁ ସ୍ୱାଗତ କରିବାର ଦିନ । ଆଜି ଦିନରେ ଆମେ ସମସ୍ତେ ଶପଥ ନେବା ଯେ ବିକାଶ ଏବଂ ବିଶ୍ୱାସ ଆମ ସମ୍ପର୍କର ମୁଖ୍ୟ ଆଧାର ହେବ ଏବଂ ଆଗାମୀ ଦିନରେ ଏହା ଆହୁରି ସୁଦୃଢ଼ ହେବ । ଆମେ କେବେହେଲେ ଆଉ ହିଂସାର ଅନ୍ଧକାର ମଧ୍ୟକୁ ଯିବା ନାହିଁ । ଆସନ୍ତୁ ଆମେ ସମସ୍ତେ ଆସାମ ଓ ଭାରତରେ ଶାନ୍ତି ଓ ସ୍ଥିରତାକୁ ସ୍ୱାଗତ କରିବା”, ସେ କହିଥିଲେ ।

ଚଳିତ ବର୍ଷ ସାରା ଦେଶ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ୧୫୦ତମ ବର୍ଷ ପୂର୍ତି ପାଳନ କରୁଥିବାରୁ ବୋଡୋ ରାଜିନାମା ସ୍ୱାକ୍ଷରକୁ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ ।

“ଗାନ୍ଧୀଜୀ ସବୁବେଳେ କହୁଥିଲେ ଅହିଂସାର ଫଳ ଯାହାହେଉ ପଛେ, ତା’କୁ ସମସ୍ତେ ସ୍ୱୀକାର କରିଥାନ୍ତି”, ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ବୋଡୋ ରାଜିନାମା ବିଷୟରେ ବିଶେଷ ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ସମଗ୍ର ଅଂଚଳବାସୀ ଉପକୃତ ହେବେ । ସେ କହିଥିଲେ ଯେ ଏହି ରାଜିନାମା ଅନ୍ତର୍ଗତ ବୋଡୋ କ୍ଷେତ୍ରୀୟ ପରିଷଦର କ୍ଷମତା ବୃଦ୍ଧି ଓ ସୁଦୃଢ଼ କରାଯାଇଛି ।

“ଏହି ରାଜିନାମାରେ ସମସ୍ତେ ବିଜେତା, ଏହାଦ୍ୱାରା ଶାନ୍ତି ଓ ମାନବତାର ବିଜୟ ହୋଇଛି”, ପ୍ରଧାନମନ୍ତ୍ରୀ କହିଥିଲେ ।

ବୋଡୋ କ୍ଷେତ୍ରୀୟ ଜିଲ୍ଲାର ପରିସୀମା (ବିଟିଏଡି) ନିର୍ଦ୍ଧାରଣ କରିବା ଲାଗି ଏକ ଆୟୋଗ ଗଠନ କରାଯିବ ।

ବିଟିଏଡିର କୋକ୍ରାଝର, ଚିରଙ୍ଗ, ବକ୍ସା ଓ ଉଦାଲଗୁଡ଼ିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ୧୫ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ।
“ଏହା ବୋଡୋ ସଂସ୍କୃତି, କ୍ଷେତ୍ର ଓ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ସହାୟକ ହେବ”, ସେ କହିଥିଲେ ।

ବିଟିସି ଓ ଆସାମ ସରକାରଙ୍କ ପରିବର୍ଦ୍ଧିତ ଉତରଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶର ଲକ୍ଷ୍ୟ କେବଳ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ଉପରେ ଆଧାରିତ ହେବା ଆବଶ୍ୟକ ।

“ଆଜି, ବୋଡୋ କ୍ଷେତ୍ରରେ ନୂଆ ଆଶା, ସ୍ୱପ୍ନ, ଉତ୍ସାହ ଦେଖିବାକୁ ମିଳିଛି । ଆପଣମାନଙ୍କ ଉତରଦାୟିତ୍ୱ ବଢ଼ିଯାଇଛି । ସବୁ ସମୁଦାୟକୁ ନେଇ ବୋଡୋ କ୍ଷେତ୍ରୀୟ ପରିଷଦ ଏବେ ଏଠାରେ ବିକାଶର ଏକ ନୂଆ ମଡେଲ ବିକଶିତ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି । ଏହା ସୁଦୃଢ଼ ଆସାମ ଓ ଶକ୍ତିଶାଳୀ ଭାରତ ନିର୍ମାଣର ଭାବନାକୁ ସୁଦୃଢ଼ କରିବ ”, ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମ ଅନୁଚ୍ଛେଦ ୬କୁ କାର୍ଯ୍ୟକାରୀ କରିବା ଲାଗି ତାଙ୍କ ସରକାର ଚାହୁଛନ୍ତି ଏବଂ ସେ ଏ ଦିଗରେ କମିଟିର ରିପୋର୍ଟକୁ ଅପେକ୍ଷା କରିଛନ୍ତି ।

ଉତର-ପୂର୍ବାଂଚଳର ଆକାଂକ୍ଷା ପୂରଣ ଦିଗରେ ନୂଆ ଆଭିମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଉତର-ପୂର୍ବାଂଚଳରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ତାଙ୍କ ସରକାର ଏକ ନୂଆ ଆଭିମୁଖ୍ୟ ଆପଣାଇଛନ୍ତି । ଏହି କ୍ଷେତ୍ରର ଲୋକମାନଙ୍କ ଆଶା ଆକାଂକ୍ଷା ଓ ଭାବନାତ୍ମକ ଦିଗକୁ ଗଭୀର ଭାବେ ବୁଝିବା ପରେ ଏପରି ଆଭିମୁଖ୍ୟ ଆସିପାରିଛି ।

“ସମସ୍ତ ଅଂଶୀଦାରଙ୍କ ସହ ବିଚାରବିମର୍ଶ ଓ ଆଲୋଚନା କରାଯାଇ ସହାନୁଭୂତି ସହିତ ସମାଧାନ ଖୋଜାଯାଇପାରିଛି । ଆମେ ସମସ୍ତଙ୍କୁ ବାହାର ଲୋକ ନୁହେଁ ବରଂ ଆପଣାର ବୋଲି ଭାବି ଏପରି ସମାଧାନ ପାଇପାରିଛୁ । ଆମେ ସେମାନଙ୍କ ସହିତ ଆଲୋଚନା କରିଛୁ ଏବଂ ସେମାନେ ଆମ ନିଜର ବୋଲି ବିଶ୍ୱାସ ସୃଷ୍ଟି କରିବାରେ ସଫଳ ହୋଇଛୁ । ଏହା ଉଗ୍ରବାଦ ହ୍ରାସ କରିଛି । ପୂର୍ବରୁ, ଉତର-ପୂର୍ବାଂଚଳରେ ହଜାର ହଜାର ସଂଖ୍ୟାରେ ହତ୍ୟାକାଣ୍ଡ ଘଟୁଥିଲା, କିନ୍ତୁ ଆଜି ସାମଗ୍ରିକ ଭାବେ ପରିସ୍ଥିତି ସ୍ୱାଭାବିକ ଓ ଶାନ୍ତିପୂର୍ଣ୍ଣ ରହିଛି ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉତର-ପୂର୍ବ : ଦେଶର ଅଭିବୃଦ୍ଧି ଇଞ୍ଜିନ

“ଗତ ତିନିରୁ ଚାରି ବର୍ଷ ମଧ୍ୟରେ ଉତର ପୂର୍ବାଂଚଳରେ ୩ ହଜାର କିମି ସଡ଼କ ନିର୍ମାଣ ହୋଇଛି । ନୂଆ ଜାତୀୟ ରାଜପଥକୁ ମଞ୍ଜୁରି ମିଳିଛି । ସମଗ୍ର ଉତର-ପୂର୍ବାଂଚଳ ରେଳ ନେଟୱର୍କକୁ ବ୍ରଡଗଜରେ ପରିଣତ କରାଯାଇଛି । ନୂଆ ଶିକ୍ଷା, ଦକ୍ଷତା ବିକାଶ ଓ କ୍ରୀଡ଼ା ଅନୁଷ୍ଠାନ ପ୍ରତିଷ୍ଠା କରାଯାଇ ଉତର ପୂର୍ବାଂଚଳର ଯୁବକମାନଙ୍କୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାଛଡ଼ା ଦିଲ୍ଲୀ ଓ ବାଙ୍ଗାଲୋରରେ ଉତର-ପୂର୍ବାଂଚଳ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଛାତ୍ରାବାସ ନିର୍ମାଣ କରାଯାଇଛି”, ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିତିଭୂମିର ଅର୍ଥ କେବଳ ଇଟା ଓ ସିମେଂଟର ଯୋଡ଼େଇ ନୁହେଁ । ଏହାର ଏକ ମାନବୀୟ ଦିଗ ରହିଛି । ଏହା ଲୋକମାନଙ୍କୁ ବିଶ୍ୱାସ ଦେଇଥାଏ ଯେ କେହି ଜଣେ ସେମାନଙ୍କ ପାଇଁ ଚିନ୍ତା କରୁଛି ।

“ଦଶନ୍ଧି ଧରି ବିଳମ୍ବିତ ହୋଇ ପଡ଼ି ରହିଥିବା ବୋଗିବିଲ ସେତୁ ଭଳି ବହୁସଂଖ୍ୟକ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦ୍ୱାରା ଲୋକମାନେ ଯେତେବେଳେ ସଡ଼କ ଯୋଗାଯୋଗ ସୁବିଧା ପାଉଛନ୍ତି, ସରକାରଙ୍କ ପ୍ରତି ସେମାନଙ୍କ ବିଶ୍ୱାସ ବୃଦ୍ଧି ପାଉଛି । ଏହି ସାମଗ୍ରିକ ବିକାଶ ବିଚ୍ଛିନ୍ନତାକୁ ବନ୍ଧନରେ ରୂପାନ୍ତରିତ କରିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଛି । ସମସ୍ତଙ୍କ ନିକଟରେ ବିକାଶ ପହଁଚିବା ଫଳରେ ଜନସାଧାରଣ ମିଳିତ ଭାବେ କାମ କରିବା ଲାଗି ପ୍ରସ୍ତୁତ ହୋଇଯାଉଛନ୍ତି । ଜନସାଧାରଣ ଏକାଠି ହୋଇ କାମ କରିବାକୁ ପ୍ରସ୍ତୁତ ହେଲେ ବଡ଼ ବଡ଼ ସମସ୍ୟାର ସମାଧାନ ହୋଇଯାଉଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.