Latest Odisha News

ଲାଲୁଙ୍କର କେଉଁ ଇଚ୍ଛା ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ, ଗୃହରେ କହିଲେ ଅମିତ ଶାହ

ନୂଆଦିଲ୍ଲୀ: ଲୋକସଭାରେ ଓ୍ୱାକଫ ସଂଶୋଧନ ବିଲ୍‌ ନେଇ ଏପ୍ରିଲ ୨ (ବୁଧବାର)ରେ ଶାସକ ଦଳ ଏନଡିଏ ଏକଜୁଟ ହୋଇ ନିଜ ପକ୍ଷ ରଖିଛି। ବିଲ୍ ଯଦିଓ ପାରିତ ହୋଇଯାଇଛି ହେଲେ ଏହି ସମୟରେ ବିରୋଧୀଙ୍କ ଯୁକ୍ତି ଓ ଶାସକ ଦଳର ପାଲଟା ଜବାବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖାସ କରି ଗୃହ ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଚର୍ଚ୍ଚାରେ ଭାଗ ନେଇ ବିରୋଧୀ ଉପରେ ଜୋରଦାର ଆକ୍ରମଣ କରିଛନ୍ତି।

ଚର୍ଚ୍ଚା ଭିତରେ ଅମିତ ଶାହ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ନାମ ଉଠାଇ ବିରୋଧୀଙ୍କୁ ଘେରିଥିଲେ। ଓ୍ୱାକଫ ବୋର୍ଡର ମନମାନୀ କାର୍ଯ୍ୟକଳାପ ଉପରେ ସରକାରର ଆଭିମୁଖ୍ୟ ରଖିଥିଲେ । ଆଉ ଆରଜେଡିର ଜଣେ ସଦସ୍ୟଙ୍କୁ ଟାର୍ଗେଟ କରି କହିଛନ୍ତି, “ଆରଜେଡିର ସମସ୍ତ ସଦସ୍ୟ କହିଲେ, କିନ୍ତୁ ମୁଁ ଲାଲୁଙ୍କ ଗୋଟିଏ କଥା କହୁଛି, ଯାହା ଏହି ଗୃହରେ କୁହାଯାଇଥିଲା।” ଲାଲୁଙ୍କ କଥାକୁ ଉଦ୍ଧୃତ କରି ଶାହ କହିଛନ୍ତି, “ଆଇନ୍ ବହୁତ କଡ଼ା ହେବା ଦରକାର। ସବୁ ଜମି ହଡ଼ପ କରି ଦିଆଗଲା। ସରକାରୀ ହେଉ କି ବେସରକାରୀ, ସବୁ ବିକ୍ରି କରି ଦିଆଗଲା। ପାଟନାର ଡାକ ବଙ୍ଗଳାରେ ଯେତେ ସମ୍ପତ୍ତି ଥିଲା, ସବୁ ଉପରେ ଆପାର୍ଟମେଣ୍ଟ ତିଆରି ହୋଇଗଲା। ସମସ୍ତେ ଲୁଟିଲେ।”

ଅମିତ ଶାହ ଆହୁରି କହିଛନ୍ତି, “ଲାଲୁ ପ୍ରସାଦ ଯାଦବଙ୍କ ଇଚ୍ଛା ଏମାନେ ପୂରଣ କରି ନଥିଲେ, କିନ୍ତୁ ନରେନ୍ଦ୍ର ମୋଦୀ ତାଙ୍କ ଇଚ୍ଛାକୁ ସଫଳ କରିଛନ୍ତି।” ଏହି ମନ୍ତବ୍ୟ ଦେଇ ସେ ଓ୍ୱାକଫ ବୋର୍ଡର ସମ୍ପତ୍ତି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା କଥା ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ବିରୋଧୀଙ୍କ ଉପରେ ଆକ୍ରମଣ କରି ଶାହ ଅଭିଯୋଗ କରିଛନ୍ତି ଯେ ସେମାନେ ପାରଦର୍ଶିତାକୁ ଭୟ କରନ୍ତି ଓ କୋର୍ଟରେ କୌଣସି ଆଦେଶକୁ ଚ୍ୟାଲେଞ୍ଜ କରିବାକୁ ମନା କରି ଦେଉଥିଲେ। ସେ କହିଛନ୍ତି, “ଆପଣମାନେ ଏପରି କରିଥିଲେ ଯେ ଓ୍ୱାକଫର ଆଦେଶକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ। ସମ୍ପୂର୍ଣ୍ଣ ସମ୍ବିଧାନକୁ ସେଠାରେ ଶେଷ କରି ଦେଇଥିଲେ। ଆମେ କହୁଛୁ ଯେ କୋର୍ଟରେ ଯେ କେହି ଚ୍ୟାଲେଞ୍ଜ କରିପାରିବ। କୋର୍ଟର ବ୍ୟବସ୍ଥାକୁ ବାହାର କରିବାର ପାପ କଂଗ୍ରେସ କରିଥିଲା।”

Comments are closed.