Latest Odisha News

ବିନା ଯୁଦ୍ଧରେ ମୋଦୀ ଚୀନକୁ ଜମି ଦେଇଦେଲେ: ରାହୁଲ ଗାନ୍ଧୀ

ନୁଆଦିଲ୍ଲୀ: ଅନେକ ପର୍ଯ୍ୟାୟ ବୈଠକ ପରେ ଶେଷରେ ଭାରତ ଏବଂ ଚୀନ୍‌ର ସୌନ୍ୟମାନେ ପୂର୍ବ ଲଦାଖର ଗୋଗ୍ରା-ହଟ୍ସପ୍ରିଙ୍ଗ ଅଞ୍ଚଳରେ ନିଜର ସୈନ୍ୟ ପ୍ରତ୍ୟାହାର କରିଛନ୍ତି। ଗତକାଲି ଏହି ପ୍ରକ୍ରିୟା ଶେଷ ହୋଇଛି। ଏହାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚୀନ୍ ସୀମା ବିବାଦ ପ୍ରସଙ୍ଗରେ ଭାରତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ରାହୁଲ ଗାନ୍ଧୀ ଟୁଇଟ କରି ଲେଖିଛନ୍ତି ଯେ ଏପ୍ରିଲ 2020ରେ ଯେଉଁ ସ୍ଥିତିଥିଲା ତାହା ଚୀନ୍ ମାନିବାକୁ ରାଜୀ ହୋଇନାହିଁ। ପ୍ରଧାନମନ୍ତ୍ରୀ ବିନା ଯୁଦ୍ଧରେ ଚୀନ୍‌କୁ 1000 ବର୍ଗ କିଲୋମିଟର ଜମି ଦେଇଛନ୍ତି। ସେ ଆହୁରି ମଧ୍ୟ ଟ୍ୱିଟ୍ କରି ଲେଖିଛନ୍ତି ଯେ ଏହି କ୍ଷେତ୍ର କିପରି ପୁନରୁଦ୍ଧାର ହେବ ଭାରତ ସରକାର କହିପାରିବେ କି?

ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡା ଯାତ୍ରାରେ ରହିଛନ୍ତି। ସେ ଏବେ ଦକ୍ଷିଣ ଭାରତ ରାଜ୍ୟରେ ରହିଛନ୍ତି। ଚୀନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ନିରନ୍ତର ପ୍ରଶ୍ନ କରି ଆସୁଛନ୍ତି। ରାହୁଲ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଭାରତ ସରକାର ନିଜର ଜମି ଚୀନକୁ ଦେଇଛନ୍ତି। ମଙ୍ଗଳବାର ଦେଶର ସୈନ୍ୟବାହିନୀ ଏଲଏସିରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବା ପରେ ଅସ୍ଥାୟୀ ଭିତ୍ତିଭୂମି ଭାଙ୍ଗି ଦେଇଛନ୍ତି।

 ୮ ତାରିଖରୁ ଆରମ୍ଭ ହୋଇଥିବା ସୈନ୍ୟ ଅପସାରଣ ପ୍ରକ୍ରିୟା ୧୨ ତାରିଖରେ ଶେଷ ହୋଇଛି । ଗତ ସପ୍ତାହରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ପରେ ଉଭୟ ଦେଶର ସେନା ପୂର୍ବସ୍ଥିତିକୁ ଫେରିଯିବେ ବୋଲି ସହମତି ପ୍ରକାଶ କରିଥିଲେ।

Comments are closed.