Latest Odisha News

BREAKING NEWS

ନିଶା କାରବାରରୁ ହତ୍ୟା, ଲେଡି ଡନ୍ ରଞ୍ଜୁ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଲେଡି ଡନ୍ ରଞ୍ଜୁ ଏବଂ ଅନ୍ୟତମ ଅଭିଯୁକ୍ତ କାହ୍ନା । ଗଞ୍ଜାମରୁ ଉଭୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ୯ ତାରିଖ (ଶୁକ୍ରବାର) ରାତିରେ ଭୁବନେଶ୍ବର ସ୍ଥିତ ୟୁନିଟ ୮ ନାରାୟଣ ବସ୍ତିରେ ହତ୍ୟାକାଣ୍ଡ ଘଟିଥିଲା। ବ୍ରାଉନ ସୁଗାର ବେପାରକୁ ନେଇ ହୋଇଥିବା ଗଣ୍ଡଗୋଳରେ ସୁବ୍ରତ ରାଓଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ରଞ୍ଜୁ ଓ କାହ୍ନା ସାମିଲ ଥିବା ଅଭିଯୋଗ ରହିଥିଲା।

ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦମ୍ପତ୍ତି। ପୋଲିସ ମୃତକଙ୍କ ପରିବାର ଲୋକଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଏବେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି। ରଞ୍ଜୁର ଏକ ଭିଡିଓ ସୋଶିଆଲ ମିଡିଆରେ ମଧ୍ୟ ଘୁରିବୁଲୁଛି। ଯେଉଁଥିରେ ରଞ୍ଜୁ ବ୍ରାଉନସୁଗାର ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ନାରାୟଣ ବସ୍ତିରେ ରଞ୍ଜୁ ଓ କାହ୍ନା ସୁବ୍ରତଙ୍କ ନାଁ ନେଇ ବ୍ରାଉନ ସୁଗାର ବିକ୍ରି କରୁଥିବା ଅଭିଯୋଗ ରହିଥିଲା । ଏହି କାରଣରୁ ଉକ୍ତ ଦମ୍ପତିଙ୍କୁ କାହିଁକି ଏପରି କରୁଛନ୍ତି ବୋଲି ପଚାରିଥିଲେ ସୁବ୍ରତ। ଏହାକୁ ନେଇ ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ କଳି ଆରମ୍ଭ ହୋଇଥିଲା। ପରେ ଏହା ଯୁକ୍ତିତର୍କ ଆଡୁକୁ ଅଗ୍ରସର ହୋଇଥିଲା। ଆଉ ଶେଷରେ କ୍ଷୁବ୍ଧ ହୋଇ ସୁବ୍ରତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ ଦମ୍ପତି ଗୋଡେଇ ଗୋଡେଇ ହାଣିଥିବା ଅଭିଯୋଗ ରହିଛି। ଏପରି ଅଭିଯୋଗ ଆଣିଥିଲେ ମୃତ ସୁବ୍ରତଙ୍କ ପରିବାର ଲୋକେ।

ପି. ସୁବ୍ରତ ରାଓ ଓରଫ ଚନ୍ଦୁଙ୍କ ପଛପଟ ମୁଣ୍ଡକୁ ଏକ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଯୋଗୁଁ ସୁବ୍ରତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ଦୁଇ ସହଯୋଗୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ମୃତ ସୁବ୍ରତଙ୍କ ସମ୍ପର୍କୀୟ କହିଥିଲେ, ନାରାୟଣ ବସ୍ତିରେ ନିଶାକାରବାର ବେଧଡକ ଚାଲିଛି। ଏହାକୁ ରୋକିବାକୁ ଚାହୁଁଥିଲେ ସୁବ୍ରତ। ଏହି ବସ୍ତିରେ ନିଶା କାରବାର ନକରିବାକୁ ନିବେଦନ କରିଥିଲେ ସଂପୃକ୍ତ ନିଶା ବେପାରୀଙ୍କୁ। ଏହାକୁ ନେଇ ସେଦିନ ମଧ୍ୟ ଯୁକ୍ତିତର୍କ ହୋଇଥିଲେ। ପରେ ତାଙ୍କ ନାଁ ନେଇ ବ୍ରାଉନ ସୁଗାର ବେପାର ନକରିବାକୁ ସୁବ୍ରତ ସେମାନଙ୍କୁ ତାଗିଦ କରିଥିଲେ । ପରେ ସେମାନେ ଏପରି କାଣ୍ଡ ଭିଆଇଛନ୍ତି।

Leave A Reply

Your email address will not be published.