Latest Odisha News

BREAKING NEWS

ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବାରାଣସୀ: ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ଶିକ୍ଷାକୁ ଏକ ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାର କରିବା । ଶିକ୍ଷାକୁ  ଏକବିଂଶ ଶତାବ୍ଦୀର ଆଧୁନିକ ଚିନ୍ତାଧାରା ସହିତ ଯୋଡିବା ବୋଲି ଗୁରୁବାର ଉତ୍ତର ପ୍ରଦେଶର ବାରାଣସୀ ଠାରେ ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’କୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ରାଷ୍ଟ୍ରୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ପାଇଁ ବିଚାରବିମର୍ଷ କରିବା ଦିଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି  ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିଶୁଙ୍କ ପ୍ରତିଭା ଏବଂ ସେମାନଙ୍କର ଇଚ୍ଛାନୁସାରେ କୁଶଳୀ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ରାଷ୍ଟ୍ରୀୟ ଶିକ୍ଷା ନୀତି ଯୁବ ବର୍ଗଙ୍କୁ କୁଶଳୀ, ଆତ୍ମବିଶ୍ୱାସ, ପ୍ରାକ୍ଟିକାଲ, କାଲକୁଲେଟିଭ୍ କରିବା ଦିଗରେ କାର୍ଯ୍ୟ କରୁଛି ।

ଆମର ଶିକ୍ଷା ବ୍ୟବସ୍ଥା କେବଳ ଡିଗ୍ରୀଧାରୀ ଯୁବକ ପ୍ରସ୍ତୁତ କରିବା ନୁହେଁ ବରଂ ଦେଶକୁ ଆଗକୁ ନେବା ପାଇଁ ଦରକାର ଥିବା ମାନବ ସମ୍ବଳ ଦେଶକୁ ପ୍ରଦାନ କରୁ । ଏହି ସଂକଳ୍ପନାର ନେତୃତ୍ୱ ଆମର ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନକୁ କରିବାର ଆବଶ୍ୟକତା ରହିଛି । ସେ କହିଛନ୍ତି, ଶିକ୍ଷା ନୀତି ଦ୍ୱାରା ଏବେ ମାତୃଭାଷାରେ ଶିକ୍ଷାଦାନର ରାସ୍ତା ବାହାର କରାଯାଉଛି । ଏହି କ୍ରମରେ ସଂସ୍କୃତ ଭଳି ପ୍ରାଚୀନ ଭାରତୀୟ ଭାଷାକୁ ବି ଆଗକୁ ବଢ଼ାଯାଉଛି  ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି  ଜାତୀୟ ଶିକ୍ଷା ନୀତି ପାଇଁ ଦେଶର ଶିକ୍ଷା ବ୍ୟବସ୍ଥାର ଢାଂଚାଗତ ପରିବର୍ତନ ପାଇଁ କାମ କରାଯାଇଛି । ଆଜି ଦେଶରେ ବ୍ୟାପକ ଭାବେ ନୂଆ କଲେଜ, ନୂଆ ବିଶ୍ୱବିଦ୍ୟାଳୟ ଖୋଲାଯିବା ସହ ଆଇଆଇଟି ଏବଂ ଆଇଆଇଏମର ସ୍ଥାପନା କରାଯାଉଛି । ଏହି ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ଅସମ୍ଭବର ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ପୂରଣ କରିବା ହିଁ ଭବିଷ୍ୟତର ସଫଳତାର ପୁଞ୍ଜି  ।

ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ଏକ ଦାର୍ଶନିକ ଦସ୍ତାବିଜ । ସମ୍ବିଧାନ ପରେ ଜାତୀୟ ଶିକ୍ଷା ନୀତି ଏଭଳି ଏକ ଦସ୍ତାବିଜ ; ଯାହାକୁ ସମଗ୍ର ଦେଶରେ ଅନେକ ସ୍ତରରେ ବିଚାରବିମର୍ଷ, ଚର୍ଚ୍ଚା କରାଯିବା ସହ ଜନଭାଗିଦାରୀର ରୂପ ଦିଆଯାଇଛି । ସମ୍ବିଧାନ ସମତୁଲ୍ୟ ଜାତୀୟ ଶିକ୍ଷା ନୀତି ଆମ ଦେଶର ଅସୁବିଧା, ଦ୍ୱନ୍ଦରୁ ମୁକ୍ତି ହେବାର ବିଚାର ସହ ଆତ୍ମବିଶ୍ୱାସ ଓ କାର୍ଯ୍ୟରେ ଭାରତୀୟ ହେବାର ଗର୍ବ ଅନୁଭବ ପ୍ରଦାନ କରେ ।

ଭାରତରେ ୧୫ ବର୍ଷରୁ ୨୫ ବର୍ଷ ଯୁବ ବର୍ଗଙ୍କ ସଂଖ୍ୟା ବିଶ୍ୱରେ ଅଧିକ । ଦେଶରେ ପାଖାପାଖି ୨୫ କୋଟି ଯୁବବର୍ଗ ଥିବା ବେଳେ ଆସନ୍ତା ୨୫ ବର୍ଷ ଆମ ପାଇଁ ମହତ୍ୱପୂର୍ଣ୍ଣ । ଅମୃତ କାଳ ସମୟରେ ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପ୍ରତିଷ୍ଠା କରିବା ପାଇଁ ଜାତୀୟ ଶିକ୍ଷା ନୀତି ହେଉଛି ଏକ ମାର୍ଗଦର୍ଶକ । ଏହି ସମୟରେ ଯୁବବର୍ଗଙ୍କ କ୍ଷମତା, ଉର୍ଜାକୁ ସମ୍ପୂର୍ଣ୍ଣ ଭାବରେ ଉପଯୋଗ କରିବା ତଥା ଜ୍ଞାନ ଓ ଶିକ୍ଷାରେ ପୂରା ଦୁନିଆରେ ନେତୃତ୍ୱ ନେବା ହେଉଛି ଜାତୀୟ ଶିକ୍ଷା ନୀତିର ଦିଗଦର୍ଶନ ।

ସେହିପରି ବିଶ୍ୱବିଦ୍ୟାଳୟ ଗୁଡ଼ିକ କେବଳ ବିଦ୍ୟାର୍ଥୀ ଓ ଶିକ୍ଷାର୍ଥୀଙ୍କ ଜୀବନକୁ ଉତମ କରିବା ନୁହେଁ ବରଂ ରାଷ୍ଟ୍ରର କଲ୍ୟାଣ କରିବା ହିଁ ଉଦ୍ଦିଷ୍ଟ । ସେହିପରି ଆମର ଭାରତୀୟ ଜ୍ଞାନ ପରମ୍ପରା ଆଧାରରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଭବିଷ୍ୟତର ସ୍ୱର୍ଣ୍ଣିମ ଆକାର ଦେବାକୁ ହେବ । ଏକବିଂଶ ଶତାବ୍ଦୀ ଜ୍ଞାନର ଶତାବ୍ଦୀ । ଏହି ସମୟରେ ଯୁବ ବର୍ଗଙ୍କୁ କେବଳ ନିଯୁକ୍ତି ଖୋଜିବା ନୁହେଁ ବରଂ ନିଯୁକ୍ତିଦାତା ହେବା ପାଇଁ ପ୍ରୋତ୍ସାହନ ଦେବାକୁ ହେବ ।

ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଡା. ସୁବାଷ ସରକାର, ଡା.ରାଜକୁମାର ରଞ୍ଜନ ସିଂହ, ରାଜ୍ୟ ଶିକ୍ଷା ମନ୍ତ୍ରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର କୁଳପତି, ଶିକ୍ଷାବିତ୍ ଏବଂ ଅନେକ ଷ୍ଟେକହୋଲଡର ଉପସ୍ଥିତ ଥିଲେ ।

Leave A Reply

Your email address will not be published.