ଜେଦ୍ଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦୁଇ ଦିନିଆ ଗସ୍ତରେ ସାଉଦି ଆରବର ଜେଦ୍ଦାହରେ ପହଞ୍ଚିଛନ୍ତି । ସେଠାରେ ସାଉଦି ଆରବର F-15 ଲଢ଼ୁଆ ବିମାନ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଏକ ବିଶେଷ ସମ୍ମାନ ସ୍ୱରୂପ ସୁରକ୍ଷା ଯୋଗାଇଥିଲା, ଯାହା ଦୁଇ ଦେଶ ମଧ୍ୟରେ ଗଭୀର ପ୍ରତିରକ୍ଷା ସହଯୋଗର ପ୍ରତୀକ ।
ସାଉଦି ଆରବକୁ ଭାରତର ଏକ ମୂଲ୍ୟବାନ ସହଯୋଗୀ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦି ଆରବ ନ୍ୟୁଜକୁ ଏକ ସାକ୍ଷାତକାରରେ କହିଛନ୍ତି, “ଭାରତ ଏବଂ ସାଉଦି ଆରବ କେବଳ ନିଜ ପାଇଁ ନୁହେଁ ବରଂ ବିଶ୍ୱର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଏକାଠି ଆଗକୁ ବଢ଼ିବେ।”
ସାଉଦି ଆରବକୁ ଏକ ସାମୁଦ୍ରିକ ପଡ଼ୋଶୀ, ବିଶ୍ୱସ୍ତ ବନ୍ଧୁ ଏବଂ ରଣନୈତିକ ଅଂଶୀଦାର ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଅପାର ସମ୍ଭାବନା ବିଷୟରେ କହିଥିଲେ । ସେ ସାଉଦି ‘ଭିଜନ ୨୦୩୦’ ଏବଂ ଭାରତର ‘ବିକଶିତ ଭାରତ ୨୦୪୭’ ମଧ୍ୟରେ ସମାନତାକୁ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଦୁଇ ଦେଶ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ଉପରେ କାମ କରୁଛନ୍ତି । ସେ ଭାରତ ଏବଂ ଗଲ୍ଫ ସହଯୋଗ ପରିଷଦ (GCC) ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ମଧ୍ୟ ପ୍ରଶଂସା କରିଥିଲେ, ଯାହା ଆଞ୍ଚଳିକ ଅର୍ଥନୈତିକ ସମ୍ପର୍କକୁ ଏକ ନୂତନ ଦିଗ ଦେଇପାରିବ ।

ମଙ୍ଗଳବାର ସନ୍ଧ୍ୟାରେ ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ସହ ଆଲୋଚନା ପ୍ରତିରକ୍ଷା, ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଧ୍ୟାନ ଦେବ ।
ଏହାକୁ ମିଶାଇ ମୋଦି ତୃତୀୟ ଥର ପାଇଁ ସାଉଦ ଆରବ ଗସ୍ତ କରିଛନ୍ତି । ପୂର୍ବରୁ ମୋଦି ୨୦୧୬ ଓ ୨୦୧୯ ରେ ସାଉଦି ଆରବକୁ ୨ଥର ଗସ୍ତ କରିଥିଲେ । ହେଲେ ମୋଦି ସାଉଦି ଆରବର ଜେଦ୍ଦାକୁ ପ୍ରଥମ ଥର ଗସ୍ତ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଷ୍ଟ୍ରାଟେଜିକ ପାର୍ଟନରସିପ ବୈଠକରେ ମୋଦି ଏବଂ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ୍ ସାମିଲ ହେବେ । ବୈଠକରେ ଉଭୟ ଦେଶର ନେତା ଅର୍ଥନୈତିକ ଏବଂ ରାଜନୈତିକ ସୁରକ୍ଷା ଗଠନ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳୁଛି । ବୈଠକରେ ଅନେକ ଏମଓୟୁ ସ୍ୱାକ୍ଷର ହେବାର ସୂଚନା ମିଳିଛି ।
Comments are closed.