Latest Odisha News

BREAKING NEWS

PM Modi in Kolkata: ଗୋଟିଏ ମାସ ମଧ୍ୟରେ ୨ୟ ଥର ପାଇଁ କୋଲକାତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବାହିନୀର ଯୁଗ୍ମ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କରିବା ପାଇଁ ରବିବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଆସାମର ଜୋରହାଟରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ପ୍ରାୟ ୬.୫୦ରେ କୋଲକାତା ବିମାନବନ୍ଦରରେ ପହଞ୍ଚିଥିଲେ।

ଏହା ଗୋଟିଏ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ କୋଲକାତା ଗସ୍ତ। ଏହା ପୂର୍ବରୁ ଅଗଷ୍ଟ ୨୨ ତାରିଖରେ ସେ କୋଲକାତାରେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ଚତୁର୍ଥ କୋଲକାତା ଗସ୍ତ।

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ବାହାରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ, ମୋଦୀ ତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। କଡ଼ା ସୁରକ୍ଷା ମଧ୍ୟରେ, ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ସଡ଼କ ପଥରେ କୋଲକାତାର ରାଜଭବନରେ ପହଞ୍ଚିଥିଲେ । ମୋଦୀଙ୍କ ଆଗମନ ସହିତ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ସୋମବାର ସକାଳେ, ପ୍ରଧାନମନ୍ତ୍ରୀ ସେନାର ପୂର୍ବ କମାଣ୍ଡ ମୁଖ୍ୟାଳୟ ବିଜୟ ଦୁର୍ଗରେ ସଶସ୍ତ୍ର ବାହିନୀର ତିନି ଦିନିଆ ଯୁଗ୍ମ କମାଣ୍ଡର ସମ୍ମିଳନୀ (CCC)କୁ ଉଦଘାଟନ କରିବେ। ଉଦଘାଟନୀ ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ପ୍ରାୟ ସାଢ଼େ ତିନି ଘଣ୍ଟା ପାଇଁ ପୂର୍ବ କମାଣ୍ଡ ମୁଖ୍ୟାଳୟରେ ରହିବେ। ଏହା ପରେ, ପ୍ରଧାନମନ୍ତ୍ରୀ ସୋମବାର ଅପରାହ୍ନରେ କୋଲକାତାରୁ ବିହାରର ପୂର୍ଣ୍ଣିଆ ଅଭିମୁଖେ ଯାତ୍ରା କରିବେ, ଯେଉଁଠାରେ ତାଙ୍କର ଏକ ଜନସଭା ଅଛି।

ସୂଚନାଥାଉକି, ତାଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପହଞ୍ଚିଛନ୍ତି। ତିନି ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ତିନି ସେନାର ମୁଖ୍ୟ ସିଡିଏସ୍ ଅନିଲ ଚୌହାନ ମଧ୍ୟ ଉପସ୍ଥିତ ରହିବେ। ସେନା ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ସୂଚନା ଅନୁଯାୟୀ, ଏହି ସମ୍ମିଳନୀରେ ମନ୍ତ୍ରୀ ଏବଂ ଅଧିକାରୀମାନେ ମୁଖ୍ୟତଃ ସୁଧାର ଏବଂ ପରିବର୍ତ୍ତନ ବିଷୟରେ ଆଲୋଚନା କରିବେ। ସେନାରେ ବୈଷୟିକ ପରିବର୍ତ୍ତନ ଏବଂ ଭବିଷ୍ୟତରେ ସେଗୁଡ଼ିକୁ କିପରି ଆଗକୁ ନିଆଯାଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା ହେବ।

 

Comments are closed.