ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କହିଛନ୍ତି ଯେ ଭାରତ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ନେବାକୁ ଯାଉଛି। ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ “ନାରୀ ଶକ୍ତି ବନ୍ଦନ ସମ୍ମିଳନୀ”କୁ ସମ୍ବୋଧିତ କରି ସେ ପ୍ରସ୍ତାବିତ ମହିଳା ସଂରକ୍ଷଣ ବିଲ୍ କୁ “ମହିଳା ଶକ୍ତି” ପାଇଁ ଉତ୍ସର୍ଗୀକୃତ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତୀୟ ସଂସଦ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ନିକଟତର। ଏକ ଇତିହାସ ଯାହା ଅତୀତର ସଂକଳ୍ପଗୁଡ଼ିକୁ ସାକାର କରିବ ଏବଂ ଭବିଷ୍ୟତର ଲକ୍ଷ୍ୟ ପୂରଣ କରିବ। ଏପରି ଏକ ଭାରତ କଳ୍ପନା କରନ୍ତୁ ଯେଉଁଠାରେ ସାମାଜିକ ନ୍ୟାୟ କେବଳ ଏକ ସ୍ଲୋଗାନ ନୁହେଁ ବରଂ କାର୍ଯ୍ୟ ସଂସ୍କୃତି ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ଏକ ସ୍ୱାଭାବିକ ଅଂଶ ହୋଇଯାଏ।
ଆହୁରି ମଧ୍ୟ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।ନାରୀ ଶକ୍ତି ପାଇଁ ନୂଆ ଯୁଗର ଆରମ୍ଭ। ୨୦୨୯ ସୁଦ୍ଧା ମହିଳା ସଂରକ୍ଷଣ ଲାଗୁ ହେବ । ଏପ୍ରିଲ୍ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଯେକୌଣସି ପରିସ୍ଥିତିରେ ବି ୨୦୨୯ ସୁଦ୍ଧା ଏହି ନିୟମ ଲାଗୁ କରାଯିବ ବୋଲି ସେ କହିଛନ୍ତି ।