ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ପଦ୍ମଶ୍ରୀ ଡ଼. ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ତଥା ବାଗ୍ମୀ ରଜତ କରଙ୍କର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଏହି ବାଗ୍ମୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ମୋଦୀ ଟୁଇଟ୍ କରି ଲେଖିଛନ୍ତି, ଡ. ରଜତ କୁମାର କର ସାଂସ୍କୃତିକ ଜଗତର ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱକୁ ସେ ଯେଉଁଭଳି ଭାବରେ ରଥଯାତ୍ରାର ବିବରଣୀ ଲେଖିଥିଲେ, ବିବିଧ ବିଷୟ ଉପରେ ଲେଖିଥିଲେ ଏବଂ ପାଲା କଳାକୁ ପୁନର୍ଜୀବିତ କରିବା ପାଇଁ କାମ କରିଥିଲେ ତାହା ତାଙ୍କ ବ୍ୟକ୍ତିତ୍ୱର ପରିଚୟ ଦିଏ । ଏଥିସହ ମୋଦୀ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରଜତ କରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି। ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି।
ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ପଦ୍ମଶ୍ରୀ, ବିଶିଷ୍ଟ ସାହିତ୍ୟକ, ଗବେଷକ ତଥା ବାଗ୍ନୀ ରଜତ କୁମାର କରଙ୍କ ବିୟୋଗ ଜନିତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ଭଞ୍ଜ ସାହିତ୍ୟର ସେ ଜଣେ ବିଶିଷ୍ଟ ଗବେଷକ ତଥା ବ୍ୟାଖ୍ୟାକାର ଭାବେ ସାହିତ୍ୟିକ ମହଲରେ ଓ ଓଡ଼ିଶାର ପୁର ପଲ୍ଲୀରେ ବେସ ପରିଚିତ ଥିଲେ।
ସେହିପରି ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଟୁଇଟ୍ କରି ଲେଖିଛନ୍ତି, ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍, ଭଞ୍ଜ ସାହିତ୍ୟର ବ୍ୟାଖ୍ୟାକାର, ବାଗ୍ମୀ ପଦ୍ମଶ୍ରୀ ଡ଼ଃ ରଜତ କୁମାର କରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଶିକ୍ଷା ତଥା ସାହିତ୍ୟ ଜଗତରେ ତାଙ୍କର ଉତ୍କୃଷ୍ଟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ।
ରଜତ କର ୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ଖ୍ୟାତି ଅର୍ଜନ କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅନେକ ବହି ସେ ରଚନା କରିଥିଲେ।
Comments are closed.