Latest Odisha News

BREAKING NEWS

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ପଦ୍ମଶ୍ରୀ ଡ଼. ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ତଥା ବାଗ୍ମୀ ରଜତ କରଙ୍କର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଏହି ବାଗ୍ମୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ମୋଦୀ ଟୁଇଟ୍ କରି ଲେଖିଛନ୍ତି, ଡ. ରଜତ କୁମାର କର ସାଂସ୍କୃତିକ ଜଗତର ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱକୁ ସେ ଯେଉଁଭଳି ଭାବରେ ରଥଯାତ୍ରାର ବିବରଣୀ ଲେଖିଥିଲେ, ବିବିଧ ବିଷୟ ଉପରେ ଲେଖିଥିଲେ ଏବଂ ପାଲା କଳାକୁ ପୁନର୍ଜୀବିତ କରିବା ପାଇଁ କାମ କରିଥିଲେ ତାହା ତାଙ୍କ ବ୍ୟକ୍ତିତ୍ୱର ପରିଚୟ ଦିଏ । ଏଥିସହ ମୋଦୀ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରଜତ କରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି। ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ପଦ୍ମଶ୍ରୀ, ବିଶିଷ୍ଟ ସାହିତ୍ୟକ, ଗବେଷକ ତଥା ବାଗ୍ନୀ ରଜତ କୁମାର କରଙ୍କ ବିୟୋଗ ଜନିତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ଭଞ୍ଜ ସାହିତ୍ୟର ସେ ଜଣେ ବିଶିଷ୍ଟ ଗବେଷକ ତଥା ବ୍ୟାଖ୍ୟାକାର ଭାବେ ସାହିତ୍ୟିକ ମହଲରେ ଓ ଓଡ଼ିଶାର ପୁର ପଲ୍ଲୀରେ ବେସ ପରିଚିତ ଥିଲେ।

ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଏବଂ ଭାଷ୍ୟକାର ଭାବରେ ସେ ଖୁବ ପ୍ରସିଦ୍ଧି ଅର୍ଜନ କରିଥିଲେ। ଶିକ୍ଷା, ସଂକୃତି ଓ ସାହିତ୍ୟ ପାଇଁ ତାଙ୍କର ଅବଦାନ ଯୋଗୁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ରଥଯାତ୍ରା ସମୟରେ ଘୋଷକ ଭାବରେ ତାଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ଶ୍ରୀ କରଙ୍କ ବିୟୋଗରେ ଆମେ ଜଣେ ବିଶିଷ୍ଟ ବାଗ୍ନୀ, ଭାଷ୍ୟକାର ଓ ଭଞ୍ଜ ଗବେଷକଙ୍କୁ ସବୁଦିନ ପାଇଁ ହରାଇବସିଲୁ। ସାହିତ୍ୟ ଓ ସଂସ୍କୃତିକୁ ତାଙ୍କର ବହୁମୁଖୀ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଓଡ଼ିଶା ଜଗନ୍ନାଥ ସଂସ୍କୃତିର ଜଣେ ଉଚ୍ଚକୋଟୀର ଗବେଷକ ଓ ସୁବକ୍ତାଙ୍କୁ ହରାଇଲା । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଡ଼.କରଙ୍କ ଅବଦାନ ଅକଳ୍ପନୀୟ ।

ସେହିପରି ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଟୁଇଟ୍ କରି ଲେଖିଛନ୍ତି, ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍, ଭଞ୍ଜ ସାହିତ୍ୟର ବ୍ୟାଖ୍ୟାକାର, ବାଗ୍ମୀ ପଦ୍ମଶ୍ରୀ ଡ଼ଃ ରଜତ କୁମାର କରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଶିକ୍ଷା ତଥା ସାହିତ୍ୟ ଜଗତରେ ତାଙ୍କର ଉତ୍କୃଷ୍ଟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ।

ରଜତ କର ୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ଖ୍ୟାତି ଅର୍ଜନ କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅନେକ ବହି ସେ ରଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, ଆଜି ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ବଡ଼ ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି।  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଗତବର୍ଷ ସେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ରଜତ କରଙ୍କୁ ଭୁବନେଶ୍ଵରର ସ୍ଥିତ ବାସଭବନରେ ଶେଷ ଦର୍ଶନ କରିହେବ । ଆସନ୍ତାକାଲି ସକାଳ ୧୦ଟାରେ ପୁରୀ ଅଭିମୁଖେ ରଜତ କରଙ୍କ ମର ଶରୀରକୁ ନିଆଯିବ । ପରେ ପୁରୀ ସ୍ୱର୍ଗ ଦ୍ୱାରରେ ଶେଷ କୃତ୍ୟ ସଂପନ୍ନ ହେବ।
Leave A Reply

Your email address will not be published.