Latest Odisha News

ପୁଣିଥରେ ବାରଣାସୀରୁ ଲଢ଼ିବେ ମୋଦି !

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ନିର୍ବାଚନରେ ବିଜୟ ପତାକା ଉଡ଼ାଇବା ପାଇଁ  କସରତ ଆରମ୍ଭ କରିଛି । ଲୋକସଭା ନିର୍ବାଚନ ପାଇଁ  ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରାର୍ଥୀ ଚୟନକୁ ନେଇ ଗତକାଲି ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ  ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ସୂଚନାଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବାରଣାସୀରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଉତ୍ତରପ୍ରଦେଶର ୭୪ଟି ଆସନରେ ବିଜେପି ପ୍ରତିଦ୍ୱନ୍ଦ୍ୱୀତା କରିବ। ସହଯୋଗୀ ଦଳ  ୬ଟି ସିଟ୍ ପାଇବେ । ଆରଏଲଡି ପାଇଁ ୨ ଟି ଲୋକସଭା ଆସନ, ଅପନା ଦଳ ପାଇଁ ୨ଟି ଲୋକସଭା ଆସନ, ସୁଭାଷପା ଏବଂ ନିଶାଦ ପାର୍ଟି ପାଇଁ ଗୋଟିଏ ଲୋକସଭା ଆସନ ଛାଡ଼ିବ । ଏହି ବୈଠକରେ ବାରଣାସୀ ସମେତ ୫୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ କରିଛି ବିଜେପି ।

ସେହିପରି ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ରାଜ୍ୟରେ ପ୍ରାର୍ଥୀଙ୍କ ନିଷ୍ପତ୍ତି ସ୍ଥଗିତ ରଖାଯାଇଛି । ଏହି ତିନୋଟି ରାଜ୍ୟରେ ଆଞ୍ଚଳିକ ଦଳ ସହ  ମେଣ୍ଟ ପାଇଁ ବିଜେପି ଆଲୋଚନା କରୁଛି । ପଞ୍ଜାବର ଅକାଳୀ ଦଳ, ଆନ୍ଧ୍ରପ୍ରଦେଶର ଟିଡିପି ଏବଂ ଜନସେବା ସହ ବିଜେପି କଥାବର୍ତ୍ତା କରୁଛି । ସେହିପରି ତାମିଲନାଡୁରେ ଏଆଇଏଡିଏମକେ ସହିତ ଆଲୋଚନା ଜାରି ରହିଛି ।

ମାର୍ଚ୍ଚ ୧୦ ପୂର୍ବରୁ ବିଜେପି ୩୦୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ । ମାର୍ଚ୍ଚ ୧ କିମ୍ୱା  ୨ ତାରିଖରେ ବିଜେପି ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିପାରେ। ଗତ ସାଧାରଣ ନିର୍ବାଚନ ୨୦୧୯ରେ ମଧ୍ୟ ବିଜେପି ଏପରି ଯୋଜନା କରିଥିଲା ।  ନିର୍ବାଚନ ଘୋଷଣା ହେବାର କିଛି ସପ୍ତାହ ପୂର୍ବରୁ  ମାର୍ଚ୍ଚ ୨୧ରେ ବିଜେପି ୧୬୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ।

Leave A Reply

Your email address will not be published.