ନୂଆଦିଲ୍ଲୀ: ଦୁଇଦିନିଆ କୁଏତ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କୁଏତରେ କାମ କରୁଥିବା ଭାରତୀୟ ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି ମୋଦି । ଏଇରେ ଓଡ଼ିଆ ଶ୍ରମିକଙ୍କୁ ଭେଟି ତାଙ୍କ ସହ ହାତ ମିଳାଇଲେ ଆଉ କଥା ମଧ୍ୟ ହୋଇଛନ୍ତି ମୋଦି ।
ଦୁଇ ଦିନିଆ କୁଏତ ଗସ୍ତରେ ଥିବା ମୋଦି ଗତକାଲି ଗଲଫ୍ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ ଶ୍ରମିକଙ୍କ ସହ କଥା ହୋଇଥିଲେ । ସେମାନଙ୍କ ସହ ବସି ଖାଦ୍ୟ ମଧ୍ୟ ଖାଇଥିଲେ । କ୍ୟାମ୍ପରେ ଜଣେ ଗଞ୍ଜାମ ଖଲ୍ଲିକୋଟର ଯୁବକଙ୍କ ସହ ମଧ୍ୟ କଥା ହେଲେ । ଯୁବକ ଜଣଙ୍କ ଓଡିଶାର ବୋଲି ପରିଚୟ ଦେବା ମାତ୍ରେ ପ୍ରତିଉତ୍ତରରେ ମୋଦି ଜୟ ଜଗନ୍ନାଥ ବୋଲି ସମ୍ବୋଧନ କରିଥିଲେ । ଏଥିସହିତ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ନେଇ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା ବିଶ୍ବ ଆଗରେ ତାର ଐତିହ୍ୟ ଓ ସଂସ୍କୃତି ଦେଖାଇବାର ସୁଯୋଗ ପାଇବ ବୋଲି ମନ୍ତବ୍ୟ ରଖିଛନ୍ତି ମୋଦି ।
ତେବେ ଦୁଇ ଦିନିଆ କୁଏତ ଗସ୍ତରେ ଥବା ମୋଦିଙ୍କର ଆଜି ଦ୍ବିତୀୟ ଦିନ । ଏହି ଅବସରରେ ହେଲୋ ମୋଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଆଉ ଆଜି ଅନ୍ତିମ ଦିନରେ ତାଙ୍କୁ କୁଏତ୍ର ବାୟନ୍ ପ୍ୟାଲେସରେ ଗାର୍ଡ ଅଫ୍ ଅନର୍ରେ ସମ୍ମାନିତ କରାଯିବ। ଏହାପରେ ସେ ଅମିର ସେଖ୍ ଓ କ୍ରାଉନ୍ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ହାଇଡ୍ରୋକାର୍ବନ୍ ଏବଂ ବ୍ୟବସାୟିକ ସମ୍ପର୍କ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ।