ନୂଆଦିଲ୍ଲୀ: ଚଳିତବର୍ଷର ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମ । ମନ କି ବାତ୍ କାର୍ଯ୍ୟକ୍ରମରେ ‘ପ୍ରୟାଗରାଜ କୁମ୍ଭ ମେଳା ସହ ସମ୍ବିଧାନକୁ ନେଇ ଅନେକ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାବାସାହେବ ଭୀମରାଓ ଆମ୍ବେଦକର ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ମୋଦୀ । ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ପ୍ରତ୍ୟେକ ଥର ମନ୍ କି ବାତ୍ ମାସର ଶେଷ ରବିବାରରେ ଅନୁଷ୍ଠିତ ହୁଏ, କିନ୍ତୁ ଏଥର ଆମେ ଏହାକୁ ମାସର ତୃତୀୟ ରବିବାରରେ କରିଛୁ । କାରଣ ଚତୁର୍ଥ ରବିବାର ଗଣତନ୍ତ୍ର ଦିବସ ପାଳନ କରାଯିବ । ତେଣୁ ମୁଁ ସମସ୍ତ ଦେଶବାସୀଙ୍କୁ ଆଗାମୀ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଉଛି । ଏହି ବର୍ଷ ସମ୍ବିଧାନକୁ ୭୫ ବର୍ଷ ପୁରିବ । ଏହି ଅବସରରେ ଯେଉଁମାନେ ଆମକୁ ଆମର ପବିତ୍ର ସମ୍ବିଧାନ ଦେଇଛନ୍ତି ମୁଁ ସେମାନଙ୍କୁ ପ୍ରଣାମ ଜ୍ଞାପନ କରୁଛି ବୋଲି କହିଛନ୍ତି ମୋଦୀ ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, “ଜାନୁଆରୀ ୨୫ ହେଉଛି ଜାତୀୟ ଭୋଟର ଦିବସ। ଏହି ଦିନଟି ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦିନ ଭାରତର ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା। ସମ୍ବିଧାନରେ ଆମର ନିର୍ବାଚନ ଆୟୋଗ, ଗଣତନ୍ତ୍ରରେ ଲୋକଙ୍କ ଅଂଶଗ୍ରହଣକୁ ଆମର ସମ୍ବିଧାନ ନିର୍ମାତାମାନେ ଗୁରୁତ୍ୱ ଦେଇଛନ୍ତି। ଲୋକମାନଙ୍କୁ ଅଧିକ ଶକ୍ତ କରିବା ପାଇଁ ଟେକ୍ନୋଲୋଜିର ଶକ୍ତି ଉପରେ କମିଶନ ଅଧିକ ଗୁରୁତ୍ୱ ଦେଇଛନ୍ତି । ତେଣୁ ମୋର ନିର୍ବାଚନ ଆୟୋଗକୁ ଅନେକ ଅନେକ ଧନ୍ୟବାଦ । ଗଣତନ୍ତ୍ର ଉତ୍ସବରେ ସମସ୍ତେ ସାମିଲ ହୁଅନ୍ତୁ, ମତଦାନ ସାବ୍ୟସ୍ତ କରନ୍ତୁ ବୋଲି କହିଛନ୍ତି ମୋଦୀ ।
ସେହିପରି ପ୍ରୟାଗରାଜ କୁମ୍ଭ ମେଳାକୁ ମୋଦୀ କହିଛନ୍ତି ଯେ, ପ୍ରୟାଗରାଜ କୁମ୍ଭମେଳା ଆମ ପରମ୍ପରାର ଜ୍ବଳନ୍ତ ଉଦାହରଣ । ଜାତି, ବର୍ଣ୍ଣ, ଧର୍ମ ଭେଦଭାବ ନରଖି ଲୋକେ ଏଠାରେ ଏକାକାର ହୋଇଛନ୍ତି । ଧନୀ, ଗରିବ କିଛି ନଭାବି ଏକାଠି ସମସ୍ତେ ବୁଡ଼ ପକାଉଛନ୍ତି । ଏଥର କୁମ୍ଭମେଳାରେ ଦିବ୍ୟ ସଂଯୋଗ ମଧ୍ୟ ରହିଛି । ଏହି କୁମ୍ଭ ଉତ୍ସବ ଭାରତରେ ଆମର ପରମ୍ପରାର ପରିଚୟ ଦେଉଛି । ଉତ୍ତରରୁ ଦକ୍ଷିଣ ସବୁଠି ଜୋରଦାରରେ ଚାଲିଛି ଉତ୍ସବ । ଗୋଟେପଟେ ପ୍ରୟାଗରାଜ, ଉଜ୍ଜୈନ, ନାସିକ ଏବଂ ହରିଦ୍ଵାରରେ କୁମ୍ଭର ଆୟୋଜନ ହୋଇଥିବା ବେଳେ ସେପଟେ ଗୋଦାବରୀ, କୃଷ୍ଣା, ନର୍ମଦା ଏବଂ କାବେରୀ ନଦୀ ତଟରେ ପୁଷ୍କରମ ଅନୁଷ୍ଠିତ ହେଉଛି ।
ମୋଦୀ ଆହୁରି କହିଛନ୍ତି ଯେ, ନାଓଗାଁର କିଛି ଲୋକ ହାତୀ ମଣିଷ ଲଢ଼େଇ ଭିତରେ ଉଦାହରଣ ସୃଷ୍ଟି କରିଛନ୍ତି । ହାତୀଙ୍କ ପାଇଁ ୮୦୦ ଏକର ଜମିରେ ବିଭିନ୍ନ ଗଛ ଚାଷ କରିଛନ୍ତି । ହାତୀ ଜନବସତିକୁ ନଆସି ସେହି ସ୍ଥାନକୁ ଯାଉଛନ୍ତି । ଯାହାଦ୍ଵାରା ଧନଜୀବନ ମଧ୍ୟ ବଞ୍ଚୁଛି । ମନ କି ବାତ୍ ଜରିଆରେ ଚାରିପାଖେ ଥିବା ପଶୁଙ୍କ ସହ ପ୍ରେମରେ ବଞ୍ଚିବାକୁ ଆହ୍ବାନ ଦେଇଛନ୍ତି ମୋଦୀ ।
Comments are closed.