Latest Odisha News

ବାରଣାସୀରେ ଇଣ୍ଟନାଶନାଲ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ; କହିଲେ, ଏହାର ଡିଜାଇନ ମହାଦେବଙ୍କ ଉଦ୍ଦେଶ୍ୟରେ ସମର୍ପିତ

ବାରାଣାସୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀ ଗସ୍ତରେ ଯାଇ ସେଠାରେ  ଇଣ୍ଟରନାଶନାଲ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବଡବଡ ନେତା ସାମିଲ ହୋଇଥିଲେ । ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଆନ୍ତର୍ଜାତିକ ଷ୍ଟାଡିୟମର ଡିଜାଇନ ମହାଦେବଙ୍କ ଉଦ୍ଦେଶ୍ୟରେ ସମର୍ପିତ । ଆଖପାଖ ଅଞ୍ଚଳର ଖେଳାଳିଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରର ଷ୍ଟାଡିୟମରେ ଟ୍ରେନିଂର ସୁଯୋଗ ମିଳିବ । ଏହାଦ୍ୱାରା ସବୁଠାରୁ ବେଶି ଲାଭ କାଶୀକୁ ହେବ ।

ୟୁପିର ଏହା ପ୍ରଥମ ଷ୍ଟାଡିୟମ ଯାହାର ନିର୍ମାଣରେ ବିସିସିଆଇର ଯୋଗଦାନ ରହିବ । ଯେତେବେଳେ ଏତେବଡ ଷ୍ଟାଡିୟମ ହେବ ଅର୍ଥ ବ୍ୟବସ୍ଥା ବି ସେହିପରି ହେବ । କାଶୀର ଯୁବ ଖେଳାଳି ସାରା ବିଶ୍ୱରେ ନିଜ ନାଁ ରଖନ୍ତୁ ଏହାର ମୋର ଆନ୍ତରିକ ଇଚ୍ଛା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ  । ମୋଦି ଆହୁରି କହିଥିଲେ,  ଯେବେଠାରୁ ଏହି ଷ୍ଟାଡିୟମର ଚିତ୍ର ସାମ୍ନାକୁ ଆସିଛି, ତାକୁ ଦେଖି କାଶୀବାସୀ ଆନନ୍ଦରେ ଗଦଗଦ ହୋଇ ଉଠିଛନ୍ତି । ଆଜି କ୍ରିକେଟକୁ ନେଇ ଭାରତ ବିଶ୍ୱ ସହ ଯୋଡି ହୋଇଛି । ବିଶ୍ୱର ନୂଆ ନୂଆ ଦେଶ ଖେଳିବାକୁ ସାମ୍ନାକୁ ଆସୁଛନ୍ତି । ତେଣୁ ଆଗାମୀ ଦିନରେ କ୍ରିକେଟ ମ୍ୟାଚର ସଂଖ୍ୟା ବଢିବ ଏହା ସ୍ପଷ୍ଟ ହୋଇଛି । ମ୍ୟାଚ ବଢିଲେ ଷ୍ଟାଡିୟମ ବଢିବ ଏବଂ ବନାରସର ଏହି ଷ୍ଟାଡିୟମ ମଧ୍ୟ ଏହି ଆବଶ୍ୟକତାକୁ ପୂରଣ କରିବ ।

ସୂଚନାଥାଉ କି, ଏହି ଅନ୍ତର୍ଜାତୀୟ ସ୍ତରର ଷ୍ଟାଡିୟମରେ ୩୦ ହଜାରରୁ ଅଧିକ ଲୋକ ବସି ଖେଳ ଦେଖିବାର ବ୍ୟବସ୍ଥା ରହିଛି । ଆଜିର ଏହି ଶିଳାନ୍ୟାସ ଉତ୍ସବ ଅବସରରେ ମଞ୍ଚରେ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଲ ଦେବ, ଜୟ ଶାହ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି ଷ୍ଟାଡିୟମ ଶିଳାନ୍ୟାସ ପାଇଁ ପ୍ରଧାନମନ୍ତ୍ରୀ ବାରଣାସୀ ଗସ୍ତରେ ଯାଇଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ପାଛୋଟି ନେଇଥିଲେ । ଉଭୟ ନେତା ଏକ ଖୋଲା ଗାଡିରେ ବାହାରିଥିଲେ । ଲୋକମାନେ ଦୁଇ ଶୀର୍ଷ ନେତାଙ୍କ ଉପରେ ଫୁଲ ବର୍ଷା କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.