Latest Odisha News

“ମହିଳାଙ୍କୁ ସଶକ୍ତ କରୁ ‘ସୁଭଦ୍ରା’, ମହିଳାଙ୍କ ବିକାଶ ଓଡିଶାର ବିକାଶର ମୂଳମନ୍ତ୍ର”

ଭୁବନେଶ୍ବର: ମହିଳାଙ୍କ ବିକାଶ ଓ ବଢୁଥିବା ସାମର୍ଥ୍ୟ ହିଁ ଓଡିଶା ବିକାଶର ମୂଳମନ୍ତ୍ର । ପ୍ରଭୁ ଜଗନ୍ନାଥଙ୍କ ସାଙ୍ଗରେ ଭଉଣୀ ସୁଭଦ୍ରାଙ୍କ ଉପସ୍ଥିତି ମଧ୍ୟ ଆମକୁ ଏହି ବାର୍ତ୍ତା ଦେଉଛି । ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭରେ ଏହି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏନେଇ ମୋଦି କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବାର ସୌଭାଗ୍ୟ ମିଳିଲା । ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ କରିବାର ସୁଯୋଗ ମିଳିଲା । ଆଜି ଏନ୍‌ଡିଏ ସରକାରର ତୃତୀୟ ପାଳିର ଶହେ ଦିନ ମଧ୍ୟ । ସରକାରର ଶହେ ଦିନ ଭିତରେ ୩୦ ଲକ୍ଷରୁ ଅଧିକ ପରିବାରକୁ ଆଜି ପକ୍କା ଘର ଦିଆଗଲା । ୨୬ ଲକ୍ଷ ଘର ଗାଁ ଓ ୪ ଲକ୍ଷ ଘର ସହରରେ ଦିଆଯାଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ।

ଚାଷୀ, ମହିଳା, ଗରିବଙ୍କ ବିକାଶ ପାଇଁ ବଡ଼ ବଡ଼ ନିଷ୍ପତ୍ତି ନେଇଛି ବିଜେପି ସରକାର । ଗରିବଙ୍କୁ ପକ୍କା ଘର, ଯୁବକଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି । ଓଡ଼ିଶା ସହ ଅନ୍ୟ ରାଜ୍ୟରେ ୭୫ ହଜାର ମେଡିକାଲ ସିଟ୍‌ ଯୋଡ଼ାଯିବ ବୋଲି ଘୋଷଣା ହୋଇଛି । ଜନଜାତୀୟ ବଜେଟରେ ୨ ଗୁଣା ବୃଦ୍ଧି କରାଯାଇଛି । ବିଗତ ଶହେ ଦିନରେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦି ସୃଷ୍ଟି କରିଛି ଆମ ସରକାର ।  ଚାଷୀମାନଙ୍କ ପାଇଁ ବି ବିଗତ ଶହେ ଦିନରେ ବଡ଼ ନିଷ୍ପତ୍ତି ନିଆ ହୋଇଛି । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରପ୍ତାନୀ ଶୁଳ୍କ ହ୍ରାସ କରିବା ସହିତ ବିଭିନ୍ନ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଯାଇଛି ।

ଏହାସହିତ ମୋଦି କହିଛନ୍ତି, ଦେଶରେ ବିକାଶରେ ନାରୀ ଶକ୍ତିର ବଡ ଭୂମିକା ରହିଛି । ମହିଳାଙ୍କ ବିକାଶ ଓ ବଢୁଥିବା ସାମର୍ଥ୍ୟ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବାକୁ ଯାଉଛି ବୋଲି ମୋଦୀ କହିଛନ୍ତି । ଯାହା ମହାପ୍ରଭୁ ଜଗନ୍ନାଥଙ୍କ ସହ ଭଉଣୀ ସୁଭଦ୍ରାଙ୍କର ଉପସ୍ଥିତି ଆମକୁ ଏହି ବାର୍ତ୍ତା ଦେଉଛି । ତେଣୁ ମହିଳାଙ୍କ ଉନ୍ନତିରେ ଓଡିଶାର ବିକାଶ ହେବ । ଏହି ସୁଭଦ୍ରା ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ । ଯେଉଁଥିରେ ତାଙ୍କୁ ମୋଟ ୫୦ ହଜାର ଟଙ୍କା ସହାୟତା ପୂର୍ବକ ଦିଆଯିବ । ଏହି ସୁଭଦ୍ରା ଯୋଜନା ମା ଓ ଭଉଣୀମାନଙ୍କୁ ସଶକ୍ତ କରୁ ବୋଲି କହିଛନ୍ତି ମୋଦି ।

Leave A Reply

Your email address will not be published.