ନୂଆଦିଲ୍ଲୀ:ସାରା ଦେଶରେ ଜାରି ରହିଛି ସିଏଏ ବିରୋଧାରେ ବିକ୍ଷୋଭ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ସିଏଏ ସପକ୍ଷରେ ପ୍ରତକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏନ୍ସିସି ରାଲିକୁ ସମ୍ଭୋଧିତ କରି କହିଛନ୍ତି ଯେ, ଐତିହାସିକ ଭୁଲକୁ ଠିକ୍ କରିବା ଓ ବିଜେପିର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସିଏଏ ଅଣାଯାଇଛି । ପଡୋଶୀ ଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହେଉଥିବା ଲେକାଙ୍କୁ ନ୍ୟାୟ ଦେବାକୁ ସିଏଏ ଅଣାଯାଇଥିବା ସେ କହିଛନ୍ତି ।
ଏଥିସହ ସେ ନାଁ ନନେଇ ପାକିସ୍ଥାନକୁ ଟାର୍ଗେଟ୍ ମଧ୍ୟ କରିଛନ୍ତି । ମୋଦୀ କହିଛନ୍ତି ଯେ, ପଡୋଶୀ ଦେଶକୁ ପରାସ୍ତ କରିବା ପାଇଁ ୧୦ ଦିନ ମଧ୍ୟ ସମୟ ଲାଗିବନି । ପଡୋଶୀ ଦେଶ ଆମ ସହ ୩ଟି ଯୁଦ୍ଧ କରି ହାରିସାରିଛି । ତଥାପି ସେ ଛଦ୍ମ ଯୁଦ୍ଧ ଲଢ଼ୁଛି । ଦେଶର ସେନା ଯେତେବେଳେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗକୁ ଆସୁଥିଲା ସେତେବେଳେ ପୂର୍ବରୁ କ୍ଷମତାରେ ଥିବା ସରକାର ଏଥିପାଇଁ ଅନୁମତି ଦେଉନଥିଲା । କିନ୍ତୁ ଏବେ କେବଳ ଜମ୍ମୁ-କାଶ୍ମୀର ନୁହେଁ ଦେଶର ବିଭିନ୍ନ ପ୍ରାନ୍ତରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି ବୋଲି ସେ କହିଛନ୍ତି ।
କେବଳ ସେତିକି ନୁହେଁ ସେ ଏନ୍ଡିଏ ସରକାରଙ୍କ ସଫଳତାର କଥା ମଧ୍ୟ ବଖାଣିଛନ୍ତି । ବିଜେପି ସରକାର କ୍ଷମତାକୁ ଆସିବା ପରେ ତିନି ତଲାକ ବିରୋଧୀ ଆଇନ, ଜମ୍ମୁ-କାଶ୍ମୀରୁ ଧାରା ୩୭୦ ଉଚ୍ଛେଦ କରିବାରେ ସକ୍ଷମ ହୋଇଥିବା ମୋଦି କହିଛନ୍ତି । ବିଶ୍ୱରେ ଆମ ଦେଶର ପରିଚୟ ଯୁବ ଦେଶ ରୂପେ ହୋଇଛି । ଦେଶର ୬୫ ପ୍ରତିଶତରୁ ଅଧିକ ଲୋକ ୩୫ ବର୍ଷରୁ କମ୍ ବୟସର ଅଛନ୍ତି । ଦେଶ ଯୁବାବସ୍ଥାରେ ରହିଛି, ଏଥିଲାଗି ଆମେ ଗର୍ବିତ କିନ୍ତୁ ଦେଶର ଚିନ୍ତାଧାରା ମଧ୍ୟ ଯୁବ ହେଉ । ଏହା ଆମର ଦାୟିତ୍ୱ ହେବା ଦରକାର ବୋଲି ଏନ୍ସିସି ରାଲିରେ ମୋଦି କହିଛନ୍ତି ।
Comments are closed.