Latest Odisha News

BREAKING NEWS

ନବୀନଙ୍କ ପ୍ରତି ନୀରବ, କଂଗ୍ରେସ ଉପରେ ଗରମ: ବଲାଙ୍ଗୀରରେ ପୁଣି ନରମିଲେ ମୋଦୀ

ଭୁବନେଶ୍ୱର: ନବୀନଙ୍କ ପ୍ରତି ପୁଣି ମୋଦୀ ନୀରବ । ଖୋର୍ଦ୍ଧା ଓ ବାରିପଦା ପରି ବଲାଙ୍ଗୀରରେ ମଧ୍ୟ ନବୀନଙ୍କ ନାମ ନେଇ ନାହାନ୍ତି ମୋଦୀ । ତୃତୀୟ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବଲାଙ୍ଗୀରର ପଥରଚେପାଠାରେ ଅନୁଷ୍ଠିତ ‘ଜବାବ୍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ମୋଦୀ ବର୍ଷିଥିଲେ ମଧ୍ୟ ଓଡ଼ିଶା ସରକାରକୁ ମାତ୍ର କେଇଟି ପ୍ରଶ୍ନ ପଚାରି ନୀରବ ରହିଛନ୍ତି । କେବଳ ଏତିକି କହିଛନ୍ତି ନିର୍ବାଚନ ଆସିବ ଓ ଯିବ । ନବୀନଙ୍କ ନା ନେଇ ମୋଦୀ କହିଛନ୍ତି ନିର୍ବାଚନ ପାଇଁ ଟଙ୍କା ପକାଇ ରଖନାହିଁ । ଲୋକଙ୍କ କଥା ବୁଝ । ଅଳ୍ପରେ କହିଛନ୍ତି ଆଦିବାସୀଙ୍କ ଲାଗି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି । ଖଣି ଅଞ୍ଚଳର ବିକାଶ ଲାଗି ଡିଏମଏଫରେ ୪୦୦୦ କୋଟି ଟଙ୍କା ଅଛି । ତେବେ ଓଡ଼ିଶା ସରକାର ଏହାକୁ ଖର୍ଚ୍ଚ ନ କରି କାହିଁକି ପକାଇ ରଖିଛି ବୋଲି ତାଗିଦ୍ କରିଛନ୍ତି ନରେନ୍ଦ୍ର ମୋଦୀ । ସରକାର ଶୋଇଛି ବୋଲି କହିଛନ୍ତି ମୋଦୀ ତେବେ ନବୀନଙ୍କୁ କୌଣସି ପ୍ରକାର ସିଧାସଳଖ ଟାର୍ଗେଟ କରିନାହାନ୍ତି ଏହି ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ବାରମ୍ବାର ନବୀନଙ୍କ ପ୍ରତି ମୋଦିଙ୍କର ଏଭଳି ନରମ ମନୋଭାବକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଏନ୍ଡିଏ ସରକାର ସ୍ପଷ୍ଟ ବହୁମତ ଆଣିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ହୁଏତ ଖାସ୍ ଏଥିପାଇଁ ମୋଦିଙ୍କର ନବୀନଙ୍କ ଉପରେ ରହିଛି ନଜର । ଉତରପ୍ରଦେଶରେ ବିଏସ୍ପି ଓ ଏସ୍ପି ମେଣ୍ଟ ହୋଇସାରିଥିବା ବେଳେ ମହାଗଠବନ୍ଧନର ମଧ୍ୟ ପ୍ରକ୍ରୀୟା ଆରମ୍ଭ ହୋଇସାରିଲାଣି । ଏଭଳି ପରିସ୍ଥିତିରେ ନବୀନ ପଟ୍ଟନାୟକ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରଖିଛନ୍ତି । ମହାଗଠବନ୍ଧନରେ ମଧ୍ୟ ସାମିଲ୍ ହୋଇନାହାନ୍ତି ନବୀନ । ତେବେ ନବୀନଙ୍କୁ ନାଖୁସ୍ କରିବାକୁ ଚାହୁଁନାହାନ୍ତି ମୋଦୀ ତେଣୁ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଥିଲେ ମଧ୍ୟ ମୋଦୀ ନବୀନଙ୍କ ପ୍ରତି ବେଶ ନରମ ମନୋଭାବ ରଖୁଥିବା ରାଜନୈତିକ ଚର୍ଚ୍ଚା କରୁଛନ୍ତି ।

ତେବେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦୀ । ପୂର୍ବ କଂଗ୍ରେସ ସରକାର ତୂଳନାରେ ଓଡ଼ିଶାକୁ ଏନ୍ଡିଏ ସରକାର ୫ ଗୁଣା ଅଧିକ ଅର୍ଥ ଦେଇଛନ୍ତି ବୋଲି ମୋଦି କହିଛନ୍ତି । ଏକ ମାସ ମଧ୍ୟରେ ୨୦୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପୂର୍ବରୁ କୌଣସି କେନ୍ଦ୍ର ସରକାର କରି ନଥିଲେ ବୋଲି ମୋଦୀ ପ୍ରକାଶ କରିଥିଲେ । ସେହିପରି ୬୦୦୦ କୋଟିର ରାସନ୍ କାର୍ଡ ରଦ୍ଦ ହୋଇଛି । ଜନ୍ମ ହୋଇ ନଥିବା ଲୋକଙ୍କ ନା’ରେ କାର୍ଡ ଜାରି ହୋଇଥିଲା । ତେଣୁ କେନ୍ଦ୍ରସରକାର ଫର୍ଜି ରାସନ୍ କାର୍ଡ ବନ୍ଦ କରିଦେଇଥିବାରୁ ଅସାଧୁ ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଖାସ୍ ସେଥିଲାଗି ସେହି ଅସାଧୁ ଲୋକମାନେ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି । ଗରୀବ ଲୋକଙ୍କୁ ୨ ଟଙ୍କା କେଜିରେ ଗହମ ଦିଆଯାଉଛି, ୩୦ ଟଙ୍କାରେ ଚାଉଳ କିଣି ୩ ଟଙ୍କାରେ ଦିଆଯାଉଛି । ଦେଶରେ ଲୁଟ୍ ହେବାକୁ ଯାଉଥିବା ୯୦ ହଜାର କୋଟି ଟଙ୍କାକୁ ଅଟକାଇ ଦିଆଯାଇଛି ସେଥିପାଇଁ ଲୁଟେରାମାନଙ୍କର ମୁଁ ଟାର୍ଗେଟ ବୋଲି ମୋଦୀ କହିଛନ୍ତି ।

ତେବେ କଂଗ୍ରେସ ଉପରେ ବର୍ଷିଥିଲେ ମଧ୍ୟ ବିଜେଡିକୁ ସେଭଳି ଟାର୍ଗେଟ କରିନାହାନ୍ତି ମୋଦୀ । ଏଭଳି ପରିସ୍ଥିତିରେ ସାଧାରଣ ନିର୍ବାଚନ ଆଉ ମାତ୍ର ମାସ ଦୁଇଟା ଥିବା ବେଳେ କ’ଣ ହେବ ଅମିତ ଶାହାଙ୍କର ମିଶନ୍ ୱାନ୍-୨୦ ସେ ନେଇ ସନ୍ଦେହ ଆରମ୍ଭ ହୋଇଗଲାଣି । ଚର୍ଚ୍ଚା ହୋଇଛି ଆଉ ବିଜେଡି ସରକାରକୁ କାଢ଼ି ବାହାର କରିପାରିବ ନାହିଁ ବିଜେପି । କାରଣ ଏବେ ବି ରହିଛି ବିଜେଡି ଓ ନବୀନଙ୍କ ଦବଦବା । ତେଣୁ ହୁଏତ ୨୦୧୯ ନିର୍ବାଚନ ପରେ ବିଜେଡିର ହାତ ଧରିବା ପାଇଁ ହାତ ବଢ଼ାଇପାରେ ବିଜେପି । ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

Leave A Reply

Your email address will not be published.