Latest Odisha News

ପରଲୋକରେ ଦେବେନ୍ଦ୍ର, ଶେଷ ଦର୍ଶନ କଲେ ମୋଦୀ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ। ଆଜି ଦିଲ୍ଲୀରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଦେହାନ୍ତ ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ । ଏଥିସହ ଶୋକସନ୍ତପ୍ତ ପରିବାର ସହିତ କଥା ହୋଇ ସମବେଦନା ଜଣାଇଛନ୍ତି ମୋଦୀ ।

ତାଙ୍କର ବିୟୋଗ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ଭର୍ତ୍ତୃହରି ମହତାବ ଏବଂ ସାଂସଦ ସମ୍ବିତ ପାତ୍ର ମଧ୍ୟ ଦେବେନ୍ଦ୍ର ପ୍ରଧାନଙ୍କ ଅନ୍ତିମ ଦର୍ଶନ କରିଛନ୍ତି ଏବଂ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅନ୍ୟପଟେ  ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କଠାରୁ ଆରମ୍ଭ କରି ବହୁ ମାନଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,  ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ମନ୍ତ୍ରୀ ସମୀର ଦାଶ ପ୍ରମୁଖ ବିଶିଷ୍ଟ ନେତା ଏପରିକି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

୧୯୪୧ ମସିହା ଜୁଲାଇ ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେବେନ୍ଦ୍ର ପ୍ରଧାନ ଅବିଭକ୍ତ ଢେଙ୍କାନାଳ ଜିଲାରେ ଜନ୍ମଗ୍ରହର କରିଥିଲେ। କଣିହାଁ ଓ ତାଳଚେରରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା କରିବା ପରେ ଅନୁଗୁଳ କଲେଜରୁ ଉଚ୍ଚଶିକ୍ଷା ହାସଲ କରିଥିଲେ। ସେ ୧୯୬୬ ମସିହାରେ କଟକର ଏସସିବି ମେଡିକାଲ କଲେଜରୁ ଏମବିବିଏସ୍ ଡିଗ୍ରୀ ହାସଲ କରିଥିଲେ। ଏହାପରେ ତାଳଚେରରେ ଜଣେ ଡାକ୍ତରୀ ଅଧିକାରୀ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ୧୯୭୩ ମସିହାରେ ସ୍ଵେଚ୍ଛାକୃତ ଅବସର ନେଇଥିଲେ। ଦେବେନ୍ଦ୍ର ପ୍ରଧାନ ଏକାଧାରରେ ଜଣେ ଚିକିତ୍ସକ, ଚାଷୀ ଏବଂ ସମାଜସେବୀ ଥିଲେ । ବିଭିନ୍ନ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଡାକ୍ତରୀ ତାଙ୍କର ପେଷା ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ରାଜନୀତି ତାଙ୍କର ନିଶା ପାଲଟିଯାଇଥିଲା । ଆଉ ଦେଖୁ ଦେଖୁ ଚିକିତ୍ସକରୁ ସେ ବନିଯାଇଥିଲେ ଜଣେ ସଫଳ ରାଜନେତା ।

ତାଙ୍କର ଦୃଢ ଇଛା ଶକ୍ତି ତାଙ୍କୁ ରାଜନୈତିକ କ୍ଷେତ୍ରକୁ ଆଣିଦେଇଥିଲା । ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦେବେନ୍ଦ୍ର । ୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ଦେବେନ୍ଦ୍ର ତାଳଚେର ମଣ୍ଡଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୩ ରୁ ୧୯୮୮ ପର୍ଯ୍ୟନ୍ତ ସେ ଢେଙ୍କାନାଳ ଜିଲ୍ଲା ବିଜେପିର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତା’ପରେ ୧୯୮୮ ମସିହା ରୁ ୧୯୯୩ ମସିହା ପର୍ଯ୍ୟନ୍ତ ରାଜ୍ୟ ବିଜେପିର ସଭାପତି ଥିଲେ ଦେବେନ୍ଦ୍ର । ଏହାପରେ ୧୯୯୩ ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ । ଏହାପରେ ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ବିଜେପି ସଭାପତି ରହିଥିଲେ ଦେବେନ୍ଦ୍ର । ୧୯୯୮ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଦେବେନ୍ଦ୍ର ପ୍ରଧାନ । ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ସେ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.