Latest Odisha News

ଜନସଭାରୁ ମୋଦୀଙ୍କ ଗର୍ଜନ, ରତ୍ନଭଣ୍ଡାର କଥା ଉଠାଇ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

କନ୍ଧମାଳ: କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉକ୍ତ ସଭାରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରି ରତ୍ନ ଭଣ୍ଡାର କଥା ଉଠାଇ ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୭ ଦଶନ୍ଧି ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରବନ୍ଧନ ପାଇଁ ନିୟମ କରାଯାଇଥିଲା । ଗୋଟିଏ ନିୟମ ହେଉଛି ମନ୍ଦିରର ସୁନା, ରୂପା, ସ୍ଥାବର ଅସ୍ଥାବର ସଂପତ୍ତିର ରେକର୍ଡ ରଖାଯିବ । ଶ୍ରୀ ରତ୍ନଭଣ୍ଡାରରେ ରଖାଯାଇଥିବା ମୂଲ୍ୟବାନ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ଏବଂ ଏହି ରତ୍ନଭଣ୍ଡାରକୁ ଶେଷଥରପାଇଁ ୪୫ ବର୍ଷ ପୂର୍ବରୁ ଆକଳନ କରାଯାଇଥିଲା । ସେତେବେଳେ ଆଭୂଷଣ ଓ ରତ୍ନ ଏତେ ଅଧିକ ଥିଲା ଯେ, ଏହି ଖଜାନାକୁ ଅମୂଲ୍ୟ କରି ମୂଲ୍ୟାଙ୍କନ କରୁଥିବା ଲୋକେ ନିଜ ହାତ ଟେକିଦେଇଥିଲେ ବୋଲି କହିଛନ୍ତି ମୋଦୀ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକାରିକ ଭାବେ ରତ୍ନଭଣ୍ଡାର ଗତ ୪୦ ବର୍ଷରୁ ଖୋଲାଯାଇନାହିଁ, କିନ୍ତୁ ରତ୍ନଭଣ୍ଡାରର ଗର୍ଭଗୃହରର ଭିତର କକ୍ଷର ଚାବି ଗତ ୬ ବର୍ଷ ହେବ ମିଳୁନାହିଁ । ଚାବି କେଉଁଠି ଅଛି ଓ କାହା ପାଖରେ ଅଛି କଣ ଲୋକଙ୍କ ଜାଣିବାର ଅଧିକାର ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମୋଦୀ । ରାଜ୍ୟ ସରକାର କହୁଛନ୍ତି ଯେ, ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିଛି, ଏହି ଡୁପ୍ଲିକେଟ ଚାବି କାହିଁକି ତିଆରି ହୋଇଛି ? କଣ ସେହି ଚାବିରେ ରାତିରେ ରତ୍ନଭଣ୍ଡାର ଖୋଲାଯାଉଛି ? ଏହି ମାମଲାର ଯାଞ୍ଚ ରାଜ୍ୟ ସରକାର ଏକ କମିଶନକୁ ଦେଇଥିଲେ କିନ୍ତୁ ସେହି ରିପୋର୍ଟ ଓଡ଼ିଶା ସରକାର ସାର୍ବଜନୀନ କରିନାହାନ୍ତି । ବିଜେଡି ସରକାର ଏହି ବିଷୟରୁ କାହିଁକି ଦୌଡୁଛନ୍ତି । ରାଜ୍ୟ ସରକାର କାହାର ପାପକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଶ୍ରୀରତ୍ନଭଣ୍ଡାରର ପାରଦର୍ଶିତା ଓ ପ୍ରତିଷ୍ଠାକୁ ପୁଣି ଥରେ ସ୍ଥାପିତ କରାଯିବ ଏବଂ ଏହା ମୋଦିର ଗ୍ୟାରେଣ୍ଟି ଅଟେ ।

ଶ୍ରୀ ମୋଦି କହିଛନ୍ତି ଯେ, ଆପଣଙ୍କ ସେବକ ମୋଦି ଆପଣଙ୍କ ପାଇଁ ଦିନ ରାତି ପରିଶ୍ରମ କରୁଛି । ମୋଦିର ଉଦ୍ୟମରୁ ଗତ ୧୦ ବର୍ଷରେ ୨୫ କୋଟି ଲୋକ ଦାରିଦ୍ରତାରୁ ମୁକ୍ତ ହୋଇଛନ୍ତି । ଯେତେବେଳ ଯାଏ ଦେଶରେ ଗୋଟିଏ ବି ଗରିବ ଥିବ ମୋଦି ଶାନ୍ତିର ବସିବ ନାହିଁ । ମୋଦି ପକ୍କା ଘର ଏବଂ ନିଶୁଳ୍କ ରାସନର ଗ୍ୟାରେଣ୍ଟି ଦେଉଛି ଏବଂ ଏହାର ବହୁତ ବଡ ଲାଭ ଆଦିବାସୀ ସମାଜର ଲୋକଙ୍କୁ ହୋଇଛି । ବିଜେପି ପିଏମ ସୂର୍ଯ୍ୟ ଘର ଯୋଜନା ଆଣିଛି, ଯାହାଦ୍ୱାରା ଘରେ ସୌର ପ୍ୟାନେଲ ଲଗାଇବା ପାଇଁ ପ୍ରାୟ ୭୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ଏହାଦ୍ୱାରା ବିଜୁଳି ବିଲ୍ ଶୂନ୍ୟ ହେବା ସହିତ ହିତାଧିକାରୀ ବିଜୁଳି ବିକ୍ରି କରିପାରିବେ. ଏହାଦ୍ୱାରା ଲୋକଙ୍କ ଆୟ ବି ହେବ ।

 

Comments are closed.