Latest Odisha News

ଭାରତ ଦୁନିଆର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ: ମୋଦୀ

ଅହମ୍ମଦାବାଦ: ଆଜି ନିଜ ରାଜ୍ୟ ଗୁଜୁରାଟର ଅହମ୍ମଦାବାଦ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ (ଜିସିଏମଏମଏଫ) ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମ ଦେଶର ମହିଳା ଶକ୍ତି ହେଉଛି ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ପ୍ରକୃତ ମେରୁଦଣ୍ଡ । ଆଜି ପୁରା ଦୁନିଆରେ ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ ହେଉଛି ଭାରତ । ଭାରତରେ ଦୁଗ୍ଧ ଉତ୍ପାଦନ ୬୦ ପ୍ରତିଶତ ବୃଦ୍ଧି ପାଇଛି ।

ପିଏମ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଦୁଗ୍ଧ ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି । ଭାରତରେ ଦୁଗ୍ଧ କ୍ଷେତ୍ର ୬ ପ୍ରତିଶତ ହାରରେ ବୃଦ୍ଧି ପାଉଥିବାବେଳେ ବିଶ୍ୱରେ ଏହି କ୍ଷେତ୍ର ୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି ।  ଆମର ମା, ଭଉଣୀମାନେ ଏହାର ମେରୁଦଣ୍ଡ ସାଜିଛନ୍ତି । ଭାରତର ଦୁଗ୍ଧ କ୍ଷେତ୍ରର ପ୍ରକୃତ ମେରୁଦଣ୍ଡ ହେଉଛି ମହିଳା ଶକ୍ତି | ଆଜି ଅମୁଲ ସଫଳତାର ଶୀର୍ଷରେ ଚହଞ୍ଚିଛି, ଯାହା ପଛରେ ରହିଛି ମହିଳାଙ୍କ ଶକ୍ତି । ଏଇଟା ସତ୍ୟ ଯେ, ଭାରତକୁ ବିକଶିତ କରିବା ପାଇଁ ଭାରତୀୟ ମହିଳାଙ୍କ ଆର୍ଥିକ ଶକ୍ତି ବୃଦ୍ଧି କରିବା ନିହାତି ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ଯାତ୍ରାକୁ ସଫଳ କରିବା ପାଇଁ ମୁଁ ପଶୁ ଧନଙ୍କୁ ମଧ୍ୟ ପ୍ରଣାମ କରୁଛି । ଭାରତର ସ୍ଵାଧୀନତା ପାଇବା ପରେ ଦେଶରେ ଅନେକ ବ୍ରାଣ୍ଡ ସୃଷ୍ଟି ହୋଇଥିଲା, କିନ୍ତୁ ଅମୁଲ ପରି କିଛି ନଥିଲା । ଆଜି ଅମୁଲ ଉତ୍ପାଦଗୁଡିକ ୫୦ ରୁ ଅଧିକ ଦେଶକୁ ରପ୍ତାନି ହେଉଛି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମହିଳାଙ୍କ ଆର୍ଥିକ ଶକ୍ତି ବୃଦ୍ଧି ପାଇଁ ସରକାର କଠିନ ପରିଶ୍ରମ କରୁଛନ୍ତି। ସରକାରଙ୍କ ଉଦ୍ୟମ ହେତୁ ଗତ ୧୦ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଉଥିବା ମହିଳାଙ୍କ ସଂଖ୍ୟା ୧୦ କୋଟି ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସରକାର ଦେଇଥିବା ଅଧିକାଂଶ ଘର ମହିଳାଙ୍କ ନାମରେ ଅଛି।

 

 

Comments are closed.