Latest Odisha News

BREAKING NEWS

ମୋଦି ଓଡ଼ିଶା ଆସୁଛନ୍ତି, ୨୨ରେ ଉଦଘାଟନ କରିବେ ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ମୋଦି ତାଙ୍କର ଏହି ଦିନିକିଆ ଓଡ଼ିଶା ଗସ୍ତରେ ଝାରସଗୁଡ଼ା ଯାଇ ନୂଆ ବିମାନ ବନ୍ଦର ଉଦଘାଟନ କରିବେ ।

ମୋଦିଙ୍କ ଏହି ଓଡ଼ିଶା ଗସ୍ତର ନିଶ୍ଚିତତା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ଯାଇ ନୂଆ ବିମାନ ବନ୍ଦର ଉଦଘାଟନ କରିବା ସହିତ ଓଡ଼ିଶା ଏବଂ ଜାତି ଉଦ୍ଦେଶ୍ୟରେ ଏହି ବିମାନବନ୍ଦରକୁ ଉତ୍ସର୍ଗ କରିବେ । ନୂଆଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନବନିର୍ମିତ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ”

ମୋଦି ତାଙ୍କ ଦିନିକିଆ ଓଡ଼ିଶା ଗସ୍ତରେ ଆସି ସେହିଦିନ ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ଼ର ରେଲୱେ ଲାଇନକୁ ଉଦଘାଟନ କରିବେ, ଏହି ରେଳଲାଇନ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ସର୍ଦ୍ଦେଗାକୁ ସଂଯୋଗ କରୁଛି । କେନ୍ଦ୍ର ରେଳ ବିଭାଗ ପକ୍ଷରୁ ଏହି ରେଳଲାଇନ ସମୁଦାୟ ୧୦୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଯାହାଫଳରେ ୧୦୦ ମିଲିୟନ ଟନ କୋଇଲା ବସୁନ୍ଧରା ଅଞ୍ଚଳ ଯାହାକି ହେମଗିରି ବ୍ଲକର ଏମସିଏଲରୁ ନିଷ୍କାସିତ ହୋଇ ରେଳ ଯୋଗେ ଯାଇପାରିବ ।

ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦି ସୁନ୍ଦରଗଡ଼ର ଜିଲ୍ଲାର ଦୁଇଟି କୋଇଲା ଖଣି ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।

ଏହାପରେ ମୋଦି ଭାରତୀୟ ବିମାନ ବାହିନୀର ଏକ ବିମାନ ଯୋଗେ ତାଳଚେର ଗସ୍ତ କରିବେ । ତାଳଚେରଠାରେ ‘ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ’ର ଶିଳାନ୍ୟାସ କରିବେ ।

ତା’ପରେ ସେହି ଶିଳାନ୍ୟାସ ସ୍ଥାନରୁ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାକୁ ପ୍ରାୟ ୫ଟା ସମୟରେ ପହଞ୍ଚିବେ । ସେଠାରୁ ସେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ, ନବନିର୍ମିତ ଝାରସୁଗୁଡ଼ା ବିମାନ ବନ୍ଦରଟି ୯୦୯.୨୨ ଏକର ପରିବ୍ୟାପ୍ତ ଅଞ୍ଚଳରେ ନିର୍ମାଣ ହୋଇଛି । ଏହି ବିମାନ ବନ୍ଦର ନିର୍ମାଣ ହେବାରେ ମୋଟ ୧୭୫କୋଟି ଟଙ୍କା ବ୍ୟୟ କରାଯାଇଛି ।

Leave A Reply

Your email address will not be published.