ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ୨୦ ଜୁନ୍ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୨୭୫୦ କୋଟିରୁ ଅଧିକ ମୂଲ୍ୟର ଯୋଜନାଗୁଡ଼ିକର ଶିଳାନ୍ୟାସ ସହ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ‘ବିକଶିତ ଭାରତ – ବିକଶିତ ଓଡ଼ିଶା’ ସଂକଳ୍ପକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ । ୧୧ ବର୍ଷର ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଏବଂ ଓଡ଼ିଶା ସରକାରଙ୍କ ଗୋଟିଏ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଐତିହାସିକ ହେବାକୁ ଯାଉଛି ।
ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ବଲପୁର ଭଳି ବ୍ୟସ୍ତତମ ରେଳ ସେକ୍ସନରେ ଟ୍ରାଫିକ ଭାର ହ୍ରାସ କରିବ । ଶିଳ୍ପ ଏବଂ ଯାତ୍ରୀ ପରିବହନକୁ ବୃଦ୍ଧି କରିବ । ଏହା ସହିତ, ପ୍ରଧାନମନ୍ତ୍ରୀ ସୋନପୁର-ପୁରୁଣାକଟକ ମଧ୍ୟରେ ୭୩ କିଲୋମିଟର ଲମ୍ବା ନୂତନ ରେଳ ଲାଇନର ଉଦଘାଟନ କରିବେ। ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନର ଏକ ଅଂଶ । ଏହାର ନିର୍ମାଣ ସହିତ, ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି । ଏହି ଅଞ୍ଚଳ ଏବେ ଭାରତର ରେଳ ମାନଚିତ୍ରରେ ଅନ୍ତର୍ଭୁକ୍ତ ହେବ, ଯାହା ସ୍ଥାନୀୟ ଲୋକଙ୍କ ଦଶନ୍ଧି ପୁରୁଣା ସ୍ୱପ୍ନ ପୂରଣ କରିବାକୁ ଯାଉଛି ।
ଏହା ସହିତ, ଭକ୍ତମାନେ ଭୈରବୀ ମନ୍ଦିରକୁ ଯିବା ଆସିବାରେ ସାହାଯ୍ୟ ପାଇବେ । ପ୍ରଥମ ଥର ପାଇଁ, ସୋନପୁର ଏବଂ ପୁରୁଣା କଟକ ମଧ୍ୟରେ ନୂଆ ରେଳ ଲାଇନ ମାଧ୍ୟମରେ ସିଧାସଳଖ ରେଳ ସଂଯୋଗ ହାସଲ କରାଯାଉଛି, ଯାହା ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ ନୂତନ ରେଳ ସେବାର ଶୁଭାରମ୍ଭ କରିବେ । ନୂତନ ଟ୍ରେନ୍ ସେବା ସହିତ ବୋଦ୍ଧ ଜିଲ୍ଲାର ଅଞ୍ଚଳଗୁଡ଼ିକ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ସହିତ ସୁଲଭ ଏବଂ ସୁବିଧାଜନକ ରେଳ ସେବା ପାଇବେ ।
ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ବିକାଶ ଅଭୂତପୂର୍ବ ଗତି ହାସଲ କରିଛି । ରାଜ୍ୟରେ ରେଳ ନେଟୱାର୍କକୁ ୧୦୦ ପ୍ରତିଶତ ବିଦ୍ୟୁତୀକରଣ କରାଯାଇଛି ଏବଂ ରାଜ୍ୟର ୫୯ଟି ଷ୍ଟେସନକୁ ଆଧୁନିକ ସୁବିଧା ସହିତ ସଜ୍ଜିତ କରି ଅମୃତ ଷ୍ଟେସନ ଭାବରେ ବିକଶିତ କରାଯାଉଛି । ସେହି ସମୟରେ, ରାଜ୍ୟର ୧୭ଟି ଜିଲ୍ଲା ୬ଟି ବନ୍ଦେ ଭାରତ ଟ୍ରେନ୍ ମାଧ୍ୟମରେ ଆଧୁନିକ ରେଳ ଯାତ୍ରାର ଲାଭ ପାଉଛନ୍ତି ।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଥିବା ନୂତନ ଟ୍ରେନଗୁଡ଼ିକ ହେଉଛି ୧୮୩୧୩/୧୮୩୧୪ ବୌଦ୍ଧ-ଭୁବନେଶ୍ୱର ନୂଆ-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ଏବଂ ୧୮୩୧୧/୧୮୩୧୨ ସମ୍ବଲପୁର-ବୌଦ୍ଧ-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍ ୧୮୩୧୩/୧୮୩୧୪ ବୌଦ୍ଧ-ଭୁବନେଶ୍ୱର ନୂଆ-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ପ୍ରତି ସୋମବାର ବୌଦ୍ଧରୁ ସକାଳ ୭ ଟାରେ ଟାରେ ଛାଡିବ ଏବଂ ବଲାଙ୍ଗୀର-ସମ୍ବଲପୁର-ଅନୁଗୁଳ-ନରାଜ ଦେଇ ଭୁବନେଶ୍ୱର ନୂଆରେ ସନ୍ଧ୍ୟା ୬ଟା ୧୫ ମିନଟରେ ପହଞ୍ଚିବ । ଫେରିବା ମାର୍ଗରେ, ଏହି ଟ୍ରେନଟି ସୋମବାର ଭୁବନେଶ୍ୱର ନୂଆରୁ ରାତି ୧୧ ଟାରେ ଛାଡିବ ଏବଂ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦ଟା ୩୦ରେ ବୌଦ୍ଧରେ ପହଞ୍ଚିବ । ସେହିପରି, ସମ୍ବଲପୁରରୁ ୧୮୩୧୧/୧୮୩୧୨ ସମ୍ବଲପୁର-ବୌଦ୍ଧ-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍ ରବିବାର ଦିନ ସନ୍ଧ୍ୟା ୭ଟା ୨୫ମିନଟରେ ଛାଡିବ ଏବଂ ସେହି ଦିନ ରାତ୍ରି ୧୧ଟା ୫୫ ମିନଟରେ ବୌଦ୍ଧରେ ପହଞ୍ଚିବ। ଫେରିବା ସମୟରେ, ବୌଦ୍ଧରୁ ଏହି ଟ୍ରେନଟି ମଙ୍ଗଳବାର ଦିନ ମଧ୍ୟାହ୍ନ ୧୨ଟା ୧୫ରେ ଛାଡିବ ଏବଂ ସେହି ଦିନ ସନ୍ଧ୍ୟା ୭ଟା ୩୦ମିନଟରେ ସମ୍ବଲପୁରରେ ପହଞ୍ଚିବ । ଏହା ବ୍ୟତୀତ, ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ଏବଂ ଦୁଇ ଯୋଡ଼ା ବଲାଙ୍ଗୀର-ସୋନପୁର ସଟଲ୍ ପାସେଞ୍ଜର ଟ୍ରେନ୍ ପ୍ରଥମ ଥର ପାଇଁ ପୁରୁଣାକଟକ ପର୍ଯ୍ୟନ୍ତ ଚଳାଚଳ କରିବ ।
Comments are closed.