Latest Odisha News

BREAKING NEWS

Rain fury: କାନ୍ଦୁଛି ଉତ୍ତର ଭାରତ; ବନ୍ୟା ପ୍ରଭାବିତ ରାଜ୍ୟ ଗସ୍ତ କରି ପରିସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି….

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ବନ୍ୟା ଭୟଙ୍କର କ୍ଷୟକ୍ଷତି ଘଟାଇଛି । ବିଶେଷ କରି ଉତ୍ତର ଭାରତ ଏବେ ପ୍ରକୃତିର ତାଣ୍ଡବରେ ବେହାଲ ହୋଇଛି । ଯାହାକୁ ନେଇ କୁହାଯାଉଛି ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ବନ୍ୟା ପ୍ରଭାବିତ ରାଜ୍ୟ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ। ଉତ୍ତର ଭାରତର ଅନେକ ରାଜ୍ୟ ପ୍ରବଳ ବର୍ଷାରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଉତ୍ତରାଖଣ୍ଡରୁ ଆରମ୍ଭ କରି ହିମାଚଳପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀର ସବୁଠି, ଏବେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ରାସ୍ତା ଏବଂ ସମ୍ପତ୍ତିର ବ୍ୟାପକ କ୍ଷତି ହେବା ସହିତ ଜୀବନ ହାନି ମଧ୍ୟ ହୋଇଛି ।

ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବ ଭଳି ରାଜ୍ୟଗୁଡ଼ିକ ସର୍ବାଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ଅଛନ୍ତି। କୂହାଯାଉଛି ପ୍ରଧାନମନ୍ତ୍ରୀ ମୋଦି ମୋଦି ଏହି ଅଞ୍ଚଳଗୁଡ଼ିକ ମଧ୍ୟରୁ କିଛି ପରିଦର୍ଶନ କରିବେ ଏବଂ ପରିସ୍ଥିତିର ସମୀକ୍ଷା କରିବେ। ତାଙ୍କର ଏହି ଗସ୍ତ ଏପରି ସମୟରେ ହେଉଛି ଯେତେବେଳେ କିଛି ରାଜ୍ୟ ସରକାର ସଙ୍କଟର ମୁକାବିଲା ପାଇଁ କେନ୍ଦ୍ରଠାରୁ ଆର୍ଥିକ ସହାୟତା ଲୋଡ଼ିଛନ୍ତି।

ଗୁରୁବାର ପୂର୍ବରୁ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ପଞ୍ଜାବର ଅମୃତସର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଅମୃତସରରେ, ସେ କହିଥିଲେ ଯେ ବନ୍ୟାରୁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ଦୁଇଟି କେନ୍ଦ୍ରୀୟ ଦଳ ମଧ୍ୟ ପଞ୍ଜାବ ଗସ୍ତ କରୁଛନ୍ତି ଏବଂ ସେମାନେ କେନ୍ଦ୍ରକୁ ଏକ ରିପୋର୍ଟ ପ୍ରଦାନ କରିବେ। ଅମୃତସରରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଚୌହାନ କହିଛନ୍ତି ଯେ ପଞ୍ଜାବବାସୀ ଦେଶ ଏବଂ ମାନବତାର ସେବା କରିବାରେ ସର୍ବଦା ଆଗରେ ରହିଛନ୍ତି।

ସେ କହିଛନ୍ତି, କିନ୍ତୁ ଆଜି ବନ୍ୟା ଯୋଗୁଁ ପଞ୍ଜାବ ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ଅନେକ ଗାଁ ପ୍ରଭାବିତ ହୋଇଛି, ଯାହା ଯୋଗୁଁ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି। କ୍ଷେତ ବୁଡ଼ି ଯାଇଛି । ସେ କହିଛନ୍ତି ଯେ ଏହି କଷ୍ଟକର ସମୟରେ କେନ୍ଦ୍ର ପଞ୍ଜାବ ଲୋକଙ୍କ ସହିତ ସମ୍ପୂର୍ଣ୍ଣ ଭାବରେ ଠିଆ ହୋଇଛି। ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋତେ ପଞ୍ଜାବ ପଠାଇଛନ୍ତି। ଆମେ ପରିସ୍ଥିତିର ସମୀକ୍ଷା କରିବୁ ଏବଂ ଲୋକଙ୍କ ସହ କଥା ହେବୁ ।

ତେବେ ଏପର୍ଯ୍ୟନ୍ତ ପଞ୍ଜାବରେ ବନ୍ୟା ଯୋଗୁଁ ୩୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩.୫୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ବନ୍ୟାରେ ୧.୭୫ ଲକ୍ଷ ହେକ୍ଟରରୁ ଅଧିକ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି । ସେହିପରି ଉତ୍ତରାଖଣ୍ଡ ଏବହ ହିମାଚଳ ପ୍ରଦେଶରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ରହିଛି ।

ତେବେ କହିରଖୁଛୁ, ବର୍ଷା ବିତ୍ପାତରେ ବୁଡ଼ି ରହିଛି ଉତ୍ତର ଭାରତ । ଯେଉଁଠାକୁ ଚାହିଁବେ, କେବଳ ପାଣି ଦେଖାଯିବ। ସବୁଠୁ ଚିନ୍ତା ବଢାଇଛି ବାଦଲ ଫାଟିବା ଘଟଣା । ପାଣିର ପ୍ରକୋପରେ ଗୋଟେ ଗୋଟେ ଗାଁ ମାଟିରେ ମିଶିଯାଇଛି । ଯାହା ଏବେ ଜୀବନକୁ ଅସ୍ତବ୍ୟସ୍ତ କରିଛି । ପ୍ରତିବର୍ଷ ବିହାର ଏବଂ ପୂର୍ବ ଉତ୍ତର ପ୍ରଦେଶରେ ବିନାଶକାରୀ ବନ୍ୟା ଏଥର ପଞ୍ଜାବ, ହିମାଚଳ ଏବଂ ଜମ୍ମୁରେ ଏତେ ଭୟଙ୍କର ରୂପ ନେବ ବୋଲି କେହି ଭାବି ବି ନଥିଲେ। ପାଣିପାଗ ବିଭାଗ (IMD) ଅଗଷ୍ଟ ଶେଷରେ ମାତ୍ର ୭୨ ଘଣ୍ଟା ମଧ୍ୟରେ ୩୦୦-୩୫୦ ମିଲିମିଟର ବର୍ଷା ରେକର୍ଡ କରିଛି, ଯାହା ଏହି ସମୟର ହାରାହାରି ଅପେକ୍ଷା ପ୍ରାୟ ତିନି ଗୁଣ ଅଧିକ। ଏଥିସହିତ ଅଧିକାରୀ ଏବଂ ପାଣିପାଗ ବିଶେଷଜ୍ଞମାନେ ଏହାକୁ ଗତ ଚାରି ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଉତ୍ତର ଭାରତରେ ସବୁଠାରୁ ବିନଶକାରୀ ବନ୍ୟା ବୋଲି ବର୍ଣ୍ଣନା କରିଛନ୍ତି। ଶେଷ ଥର ପାଇଁ ଏପରି ବିନାଶକାରୀ ବନ୍ୟା ୧୯୮୮ ମସିହାରେ ପଞ୍ଜାବରେ ଦେଖାଯାଇଥିଲା । ତେବେ ଏହାର କାରଣ ସିନ୍ଧୁ ନଦୀ ପ୍ରଣାଳୀ ସହିତ ଏହାର ସଂଲଗ୍ନତାକୁ ମଣାଯାଉଛି । କାରଣ ୧୯୬୦ ମସିହାରେ ପାକିସ୍ତାନ ସହିତ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତିନାମା ଏହି ନଦୀଗୁଡ଼ିକର ସ୍ଥିରତା ଏବଂ ପୂର୍ବାନୁମାନ ଉପରେ ଆଧାରିତ ଥିଲା। କିନ୍ତୁ ଜଳବାୟୁ ପରିବର୍ତ୍ତନ ଏହି ବିଶ୍ୱାସଗୁଡ଼ିକୁ ଓଲଟାଇ ଦେଉଛି। ତରଳୁଥିବା ହିମବାହ, ଅନିୟମିତ ମୌସୁମୀ ଏବଂ ମେଘ ବିସ୍ଫୋରଣ ନଦୀଗୁଡ଼ିକର ପ୍ରବାହକୁ ଏପରି ଭାବରେ ପରିବର୍ତ୍ତନ କରୁଛି ଯାହା ଚୁକ୍ତିନାମାର ନିର୍ମାତାମାନେ କେବେ କଳ୍ପନା କରିନଥିଲେ।

Comments are closed.