Latest Odisha News

BREAKING NEWS

ମତଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ, କହିଲେ ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ ମୂଲ୍ୟବାନ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ଭୋଟ୍ ଗ୍ରହଣ କରାଯାଉଛି । ତେବେ ଗଣତନ୍ତ୍ରର ଏହି ମହାନପର୍ବ ଅବସରରେ ଭୋଟ୍ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଲୋକତନ୍ତ୍ରର ସବୁଠୁ ବଡ଼ ଉତ୍ସବ ଆଜିଠାରୁ ଆରମ୍ଭ ହେଉଛି । ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ମତଦାନରେ ୨୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ସିଟ ପାଇଁ ଭୋଟ ଦିଆଯିବ । ଏହି ସମସ୍ତ ସିଟରେ ଭୋଟରମାନଙ୍କୁ ମୋର ଅନୁରୋଧ ଯେ, ନିଜ ମତାଧିକାରର ପ୍ରୟୋଗ ଅବଶ୍ୟ କରନ୍ତୁ ଏବଂ ଭୋଟିଙ୍ଗର ନୂଆ ରେକର୍ଡ ତିଆରି କରନ୍ତୁ । ପ୍ରଥମ ଥର ପାଇଁ ଭୋଟ ଦେଉଥିବା ମୋର ଯୁବ ବନ୍ଧୁମାନଙ୍କୁ ମୋର ବିଶେଷ ନିବେଦନ ଯେ, ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ । ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ ମୂଲ୍ୟବାନ ଅଟେ ଏବଂ ପ୍ରତ୍ୟେକ ସ୍ୱରର ମହତ୍ତ୍ୱ ରହିଛି ।’

ସୂଚନା ଅନୁସାରେ, ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବୃହତ ମତଦାନ ପ୍ରକ୍ରିୟା । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ । ଏଥିସହ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ ।

Leave A Reply

Your email address will not be published.