Latest Odisha News

BREAKING NEWS

ସଂସଦରେ ରାହୁଲ ବନାମ ମୋଦି

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂପର୍କିତ ଆଲୋଚନା ବେଳେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ଜୋରଦାର ଆକ୍ରମଣ କରିଥିଲେ । ଗୃହରେ ବିରୋଧୀ ଦଳ ନେତା ହେଲା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ଗୃହରେ ନିଜର ପକ୍ଷ ରଖିଥିଲେ । ଅନ୍ୟାନ୍ୟ ପ୍ରସଙ୍ଗ ସହ ହିଂସ୍ର ହିନ୍ଦୁ ପ୍ରସଙ୍ଗରେ ବିଜେପି, ଆରଏସଏସ ଏପରିକ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ରାହୁଲ । ରାହୁଲଙ୍କ ହିନ୍ଦୁ ଟିପ୍ପଣୀରେ କଡା ଆପତ୍ତି ପ୍ରକାଶ କରିଥିଲା ବିଜେପି । ହେଲେ ସମସ୍ତଙ୍କର ନଜର ଥିଲା ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜବାବ ଉପରେ । ବିଶେଷକରି ସରକାର ଉପରେ ରାହୁଲ ଗାନ୍ଧୀଙ୍କ ଆକ୍ରମଣର ମୋଦି କିଭଳି ଜବାବ ରଖୁଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ଥିଲା ।

ନିଜ ଭାଷଣରେ ରାହୁଲ ଗାନ୍ଧୀଙ୍କ ନାଁ ନେଇନଥିଲେ ପ୍ରଧାନମନ୍ତ୍ରୀ । କିନ୍ତୁ ପରୋକ୍ଷରେ ତାଙ୍କୁ ସମାଲୋଚନା କରିବା ସହ ବ୍ୟଙ୍ଗାତ୍ମକ ଟିପ୍ପଣୀ ବି କରିଥିଲେ । ହିନ୍ଦୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଥିଲା ଯେ, ହିନ୍ଦୁ ସହନଶୀଳ । ହିନ୍ଦୁମାନଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଉଛି ବୋଲି ଗୃହରେ କହିଥିଲେ ପ୍ରଧାନମନ୍ତ୍ରୀ । ଯେଉଁମାନେ ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଏଭଳି କରୁଛନ୍ତି ସେମାନଙ୍କୁ ଦେଶ କ୍ଷମା ଦେବ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଅନ୍ୟାନ୍ୟ ପ୍ରସଙ୍ଗରେ ବି ବିରୋଧୀ ମେଂଟ ଓ ରାହୁଲ ଗାନ୍ଧୀ ଉଠାଇଥିବା ପ୍ରଶ୍ନର ନିଜର ଚିରାଚରିଚ ଶୈଳୀରେ ଜବାବ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଦୁଇ ଘଂଟା ଭାଷଣ ଦେଇଥିଲେ ପ୍ରଧାନମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କୁ କଡା କାଉଂଟର ଆଟାକ୍ ସହ ନାଁ ନନେଇ ରାହୁଲ ଗାନ୍ଧୀଙ୍କୁ ତୀର ମାରିଥିଲେ ପ୍ରଧାନମନ୍ତ୍ରୀ ।  ଯାହା କି ରାଜନୀତିକ ମହଲରେ ସରଗରମ ଚର୍ଚ୍ଚାର ବିଷୟ ହୋଇଛି । ନିଜ ଭାଷଣରେ ବାଳକବୁଦ୍ଧି, ବାଳକ ବିଳାପ ଶବ୍ଦର ପ୍ରୟୋଗ କରିଥିଲେ ରାହୁଲଙ୍କୁ ପରୋକ୍ଷ ଭାବେ ଷଣ୍ଢୁଆସୀ ଆକ୍ରମଣ କରିଥିଲେ ପ୍ରଧାନମନ୍ତ୍ରୀ।

କିଛି ବିଶେଷଜ୍ଞ କହିଛନ୍ତି ଯେ, ବାଳକବୁଦ୍ଧି କହି ପ୍ରଧାନମନ୍ତ୍ରୀ ରାହୁଲଙ୍କୁ ତାତ୍ସଲ୍ୟ କରିଛନ୍ତି । କିନ୍ତୁ ରାହୁଲ ଏବେ ଆଉ ପପ୍ପୁ ହୋଇ ରହିନାହାନ୍ତି । ସେ ଏବେ ବଡ ହୋଇଗଲେଣି । ପରିପକ୍ୱ ହୋଇଗଲେଣି । ବର୍ତ୍ତମାନ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା । ବିଜେପିର ସଦସ୍ୟମାନେ ଏବେ ମଧ୍ୟ ଯଦି ରାହୁଲଙ୍କୁ ପପ୍ପୁ କହିବେ, ତାହା ହେଲେ ଦଳର କ୍ଷତି ହେବାର ସମ୍ଭାବନାକୁ ରାଜନୀତି ବିଶେଷଜ୍ଞମାନେ ଅସ୍ୱୀକାର କରିନାହାନ୍ତି ।

ଲୋକସଭାରେ ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀଙ୍କ ଭାଷଣ ଅପେକ୍ଷାକୃତ ଲମ୍ବା ଥିଲା । ଏହା ଏକ ସରପ୍ରାଇଜ ଫ୍ୟାକ୍ଟର ଥିଲା । ସେ ବି କିଛି ପ୍ରସଙ୍ଗ ଶକ୍ତିଶାଳୀ ଭାବେ ଉଠାଇଥିଲେ । ପୂର୍ବାପେକ୍ଷା ରାହୁଲ ଅଧିକ ପରିପକ୍ୱ ଓ ଲଢୁଆ ମନୋଭାବ ରଖି ଗୃହରେ ଭାଷଣ ଦେଇଥିଲେ ବୋଲି ମତ ପ୍ରକାଶ ପାଇଛି । ତେବେ ହିନ୍ଦୁ ପ୍ରସଙ୍ଗରେ ରାହୁଲଙ୍କ ଟିପ୍ପଣୀ ଅବାଞ୍ଛିତ ଥିଲା । ହିନ୍ଦୁ ସଂପର୍କିତ ଟିପ୍ପଣୀ ରାହୁଲ ଓ କଂଗ୍ରେସ ପ୍ରତି ବୁମେରାଂ ମଧ୍ୟ ସାବ୍ୟସ୍ତ ହୋଇପାରେ ବୋଲି କିଛି ବିଶେଷଜ୍ଞ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଗୃହରେ ଜବାବ ରଖି ଦୁଇ ଘଂଟା ଭାଷଣ ଦେଇଥିଲେ । ପ୍ରଥମ ଏକ ଘଂଟାର ଭାଷଣ ଚିରାଚରିତ ଥିଲା । କିନ୍ତୁ ପରେ ପ୍ରଧାନମନ୍ତ୍ରୀ ଫର୍ମକୁ ଆସି ବିରୋଧୀ ଦଳକୁ ଜୋରଦାର କାଂଉଟର କରିଥିଲେ । ସବୁ ପ୍ରସଙ୍ଗରେ ନିଜ ସରକାରର ପକ୍ଷ ରଖିଥିଲେ । ହିନ୍ଦୁ ପ୍ରସଙ୍ଗରେ ସେ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣାତ୍ମକ ଭାବେ ଘେରିଥିଲେ । ଅବଶ୍ୟ ଏହା ସତ ଯେ, ଏଥର ନିର୍ବାଚନରେ ବିଜେପିର ହିନ୍ଦୁତ୍ୱ ପ୍ରସଙ୍ଗକୁ ଆଶାନୁରୂପ ଜନସମର୍ଥନ ମିଳିନାହିଁ । ତେବେ ହିନ୍ଦୁତ୍ୱ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଅତି ସାବଧାନତାର ସହ ଅଗ୍ରସର ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.