Latest Odisha News

୧୦ଟା ୫୦ରେ ପହଞ୍ଚିବେ ମୋଦି, ତା ପରେ ଖାତାକୁ ଚଢିବ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ଆସୁଛନ୍ତି ମୋଦି । ରାଜ୍ୟର ମହିଳାଙ୍କ ପାଇଁ ଶୁଭାରମ୍ଭ କରିବେ ସୁଭଦ୍ରା ଯୋଜନା । ଏଥିପାଇଁ ମୋଦିଙ୍କ ଗସ୍ତର ଏକ ବିସ୍ତୃତ ବିବରଣୀ ଦିଆଯାଇଛି । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ବିମାନବନ୍ଦରରୁ ସିଧା ଗାଡ଼କଣ ବସ୍ତି ଅଭିମୁଖ୍ୟ ବାହାରିବ ପ୍ରଧାନମନ୍ତ୍ରୀ କାରକେଡ । ପାଖାପାଖି ୧୧ଟା ୧୦ରେ ଗାଡ଼କଣ ବସ୍ତିରେ ପହଞ୍ଚି ୧୧ଟା ୧୫ରୁ ୧୧ଟା ୪୫ ଯାଏ ସେଠି ଆବାସ ହିତାଧିକାରୀଙ୍କ ସହ କଥା ହେବେ ମୋଦି । ପରେ ୧୧ଟା ୪୫ରେ ଗାଡ଼କଣ ଛାଡ଼ି ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ । ଜନତା ମଇଦାନରେ ଦିନ ୧ଟା ପର୍ଯ୍ୟନ୍ତ ରହିବା ଭିତରେ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁମାରମ୍ଭ କରି କିଛି ମହିଳାଙ୍କୁ ଟଙ୍କା ପ୍ରଦାନ କରିବା ସହିତ ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ ଓ ଲୋକାର୍ପଣ କରିବେ । ଏହାପରେ ଜନତା ମଇଦାନରେ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆସୁଥିବାରୁ ଜନତା ମିଇଦାନକୁ ଯାଇଥିବା କିଛି ରୁଟରେ ଟ୍ରାଫିକ୍ କଟକଣା ଲଗାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଟ୍ରାଫିକ କଟକଣା ଲାଗିରହିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି । କଟକଣା ଅନୁଯାୟୀ, ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ଲାଗିବ । ଏହି ରୁଟ ଦେଇ ଯିବା ଆସିବା କରୁଥିବା ଲୋକମାନେ, ନନ୍ଦନକାନନ ଆଡୁ ଆସୁଥିଲେ ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବେ କିମ୍ବା ତାର ଅପରପକ୍ଷରୁ ଯାଉଥିଲେ ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ଯିବା ରାସ୍ତା ବ୍ୟବହାର କରିବେ । ଏଥିସହିତ ଜରୁରୀକାଳୀନ ସେବା ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପାଇଁ କୌଣସି କଟକଣା ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ଅନ୍ୟପକ୍ଷରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୮୧ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । ଏହି ଫୋର୍ସରେ ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ଭୁବନେଶ୍ବର ବିମାନବନ୍ଦରଠୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ କରାଯିବ । ବ୍ୟାପକ ମହିଳା ପୋଲିସ ସହ ସାଧା ପୋଷାକରେ ବୁଲିବେ ପୋଲିସ କର୍ମଚାରୀ । ଏଥିସହିତ ଓଡ୍ରାଫ, ୬ କମ୍ପାନୀ ସିଆରପିଏଫ୍‌ ମଧ୍ୟ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଏହାକୁ ନେଇ ଏବେଠାରୁ ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ପଇଁତରା ମାରୁଛନ୍ତି ପୋଲିସ୍ ପ୍ରଶାସନ ।

Comments are closed.