Latest Odisha News

BREAKING NEWS

ରାଜନୀତିରେ ଶିବାଜୀ ଇଫେକ୍ଟସ : ମୋଦି ବି ମାଗିଲେ କ୍ଷମା

ହାଇଦ୍ରାବାଦ: ମହାରାଷ୍ଟ୍ର ରାଜନୀତିରେ ଛତ୍ରପତି ଶିବାଜୀଙ୍କୁ ନେଇ ରାଜନୀତି ସରଗରମ । ସିନ୍ଧୁଦୁର୍ଗ ଜିଲ୍ଲାରେ ଅଗଷ୍ଟ ୨୬ ତାରିଖରେ ମହାରାଜ ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ପରଠାରୁ ଗରମ ହୋଇଛି ରାଜନୀତି । ବିରୋଧୀଙ୍କ କଡା ଆଭିମୁଖ୍ୟ ଦେଖି ଶାସକ ମେଂଟ ପକ୍ଷରୁ ଚାଲିଛି କ୍ଷମା ପ୍ରାର୍ଥନାର ପର୍ବ । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ନା ବିରୋଧୀ ନା ଶାସକ କେହି ବି ରିସ୍କ ନେବାକୁ ଚାହୁଁନାହାନ୍ତି । ଶିବାଜୀ ରାଜନୀତି ଉଷ୍ମ ହୋଇଥିବା ବେଳେ କ୍ଷମା ପ୍ରାର୍ଥନା ପର୍ବରେ ଏବେ ସାମିଲ ହୋଇଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା

ସିନ୍ଧୁଦୁର୍ଗ ଜିଲ୍ଲା ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣାରେ ରାଜନୀତି ତାତି ବଢିଥିବା ବେଳେ ଶାସକ ମେଂଟ ପାଇଁ ସୃଷ୍ଟି ହୋଇଛି ଲଜ୍ଜାଜନକ ପରିସ୍ଥିତି । ଜୋରଦାର ହୋଇଛି ବିରୋଧ । ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମିଜାଜ ଦେଖି ଏକନାଥ ସିନ୍ଦେ ନେତୃତ୍ୱାଧିନ ସରକାର ଛାନିଆ । ଏବେ ଚାଲିଛି କ୍ଷମା ପ୍ରାର୍ଥନାର ପର୍ବ । ପ୍ରଥମେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କ୍ଷମା ମାଗିଥିଲେ । ଘଟଣାର ଗମ୍ଭୀରତାକୁ ଡେରିରେ ବୁଝି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଥିବା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମଧ୍ୟ କ୍ଷମା ମାଗିଥିଲେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିବାଜୀଙ୍କ ମୂର୍ତ୍ତି ଭଙ୍ଗା ଘଟଣାରେ ଦୁଃଖ ପ୍ରକାଶ କରି କ୍ଷମା ମାଗିଛନ୍ତି । ଶୁକ୍ରବାର ମହାରାଷ୍ଟ୍ରର ପାଲଘରରେ ବାଧବନ ବନ୍ଦର ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣାରେ କ୍ଷମା ମାଗିଛନ୍ତି । ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣାରେ ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିବାଜୀ ତାଙ୍କ ଭଗବାନ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଗତବର୍ଷ ଡିସେମ୍ବର ୪ ତାରିଖରେ ପ୍ରଧାନମନ୍ତ୍ରୀ ଶିବାଜୀଙ୍କ ମୂର୍ତ୍ତିର ଅନାବରଣ କରିଥିଲେ । ମାତ୍ର ୮ ମାସ ପରେ ଭୁଶୁଡି ପଡିଛି ମୂର୍ତ୍ତି ।

ରକ୍ଷଣାତ୍ମକ ମୁଦ୍ରାରେ ଏକନାଥ ସିନ୍ଦେ ସରକାର

ଶିବାଜୀଙ୍କ ମୂର୍ତ୍ତି  ଭାଙ୍ଗିବା ପରେ ବିରୋଧୀ ଦଳଙ୍କ ଆକ୍ରମଣାତ୍ମକ ମନୋଭାବ ଦେଖି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର କ୍ଷମା ପ୍ରାର୍ଥନା କରିଥିଲେ । ଦରକାର ପଡିଲେ ସେ ମହାନ ପରାକ୍ରମୀ ଶାସକଙ୍କ ପାଦ ୧୦୦ ଥର ଛୁଇଁ କ୍ଷମା ମାଗିବାକୁ ସଂକୋଚ କରିବେ ନାହିଁ ବୋଲି କହିଥିଲେ ସିନ୍ଦେ । ବିରୋଧୀ ଦଳ ରାଜନୀତିରୁ ଶିବାଜୀ ମହାରାଜଙ୍କୁ ଦୂରରେ ରଖନ୍ତୁ ବୋଲି ଅପିଲ କରିଥିଲେ ସିନ୍ଦେ । ଏଣେ ସିନ୍ଦେ ସରକାର ମୂର୍ତ୍ତି ଭାଙ୍ଗିବା ଘଟଣାର କାରଣ ଖୋଜିବା ପାଇଁ ଏକ ଟେକନିକାଲ କମିଟି ଗଠନ କରିଛନ୍ତି ।

ଉଦ୍ଧବ ଶିବସେନାର ଜୋତା ମାର ଅଭିଯାନ

ମୂର୍ତ୍ତି ଭଙ୍ଗା ଘଟଣାରେ ବିରୋଧୀ ଦଳକୁ ମିଳିଯାଇଛି ଏକ ବଡ ମଉକା । ଏକନାଥ ସିନ୍ଦେ ନେତୃତ୍ୱାଧୀନ ମହାୟୁତି ସରକାର ବିରୋଧରେ ରବିବାରଠାରୁ ବଡ ଧରଣର ଆନ୍ଦୋଳନ କରିବା ପାଇଁ ଘୋଷଣା କରିଛି ଉଦ୍ଧବ ଥାକରେଙ୍କ ଶିବସେନା । ରବିବାରଠାରୁ ସରକାରଙ୍କୁ ଜୋତା ମାର ଆନ୍ଦୋଳନ ଆରମ୍ଭ କରିବ ବୋଲି ବରିଷ୍ଠ ନେତା ସଂଜୟ ରାଉତ ଘୋଷଣା କରିଛନ୍ତି ।

ଷ୍ଟ୍ରକଚରାଲ କନସଲଟାଂଟ୍ ଗିରଫ

ସରଗରମ ରାଜନୀତି ଓ କ୍ଷମା ପ୍ରାର୍ଥନାର ପର୍ବ ମଧ୍ୟରେ ଶିବାଜୀ ମୂର୍ତ୍ତି ଭାଙ୍ଗିବା ଘଟଣାରେ ଜଣେ ଷ୍ଟ୍ରକଚରାଲ କନସଲଟାଂଟ୍ ଚେତନ ପାଟିଲଙ୍କୁ ଗିରଫ କରାଯାଇଛି । କୋହ୍ଲାପୁର କ୍ରାଇମବ୍ରାଂଚ ଚେତନଙ୍କୁ ତାଙ୍କ ଘରୁ ଗିରଫ କରିଛି । ପିଡବ୍ଲୁଡି ବିଭାଗ ପକ୍ଷରୁ ଏହି ଘଟଣାରେ ଏତଲା ଦାୟର କରାଯାଇଥିଲା । ତେବେ ଚେତନଙ୍କ ଗିରଫଦାରି କେବଳ ଲୋକଦେଖାଣିଆ ବୋଲି ଅଭିଯୋଗ ହୋଇଛି । ଶିବାଜୀଙ୍କ ମୂର୍ତ୍ତି ର ରକ୍ଷଣାବେକ୍ଷଣ ଦାୟିତ୍ୱ ପିଡବ୍ଲୁଡିର ଥିଲା ବୋଲି କୁହାଯାଉଛି ।

 

Comments are closed.