Latest Odisha News

BREAKING NEWS

ମହାକୁମ୍ଭ ଉପରେ ବିରୋଧୀଙ୍କ ଟିପ୍ପଣୀ ନେଇ ବର୍ଷିଲେ ମୋଦି: କହିଲେ, ‘ଦାସ ମାନସିକତା’

ଭୋପାଳ: ମହାକୁମ୍ଭକୁ ନେଇ ଲଗାତାର ବିରୋଧୀଙ୍କ ବିଭିନ୍ନ ଟିକ୍କାଟିପ୍ପଣୀ ପରେ, ଏବେ ଏହାକୁ ନେଇ ବିରୋଧୀ ନେତାଙ୍କ ଉପରେ ବର୍ଷିଛନ୍ତି ମୋଦି । ବିରୋଧୀମାନେ ଏପରି କହି ଧାର୍ମିକ ପରମ୍ପରାର ଉପହାସ ଏବଂ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାକୁମ୍ଭମେଳାକୁ ନେଇ ଅନେକ ବିରୋଧୀ ନେତାଙ୍କ ସମାଲୋଚନାକୁ ନେଇ ବିବାଦ ଚାଲିଥିବା ବେଳେ, କାହାରି ନାଁ ନନେଇ ବିରୋଧୀଙ୍କୁ କଡା ଆକ୍ରମଣ କରିଛନ୍ତି ମୋଦି ।

ଆଜି ମଧ୍ୟପ୍ରଦେଶର ଛତରପୁରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି, ଯେଉଁ ରାଜନେତାମାନେ ବିଶ୍ୱାସ ଏବଂ ସାଂସ୍କୃତିକ ପ୍ରଥାକୁ ଉପହାସ କରନ୍ତି, ସେମାନଙ୍କୁ “ଦାସ ମାନସିକତା” ଥିବା ଲୋକ ବୋଲି କହି ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି, ଆଜିକାଲି ଆମେ ଦେଖୁଛୁ ଯେ, ଏପରି କିଛି ନେତାମାନଙ୍କର ଏକ ଗୋଷ୍ଠୀ ଅଛି ଯେଉଁମାନେ ଧର୍ମକୁ ଉପହାସ କରୁଛନ୍ତି । ଲୋକଙ୍କୁ ବିଭାଜିତ କରିବାରେ ନିୟୋଜିତ ରହିଛନ୍ତି । ଅନେକ ସମୟରେ ବିଦେଶୀ ଶକ୍ତି ମଧ୍ୟ ଏହି ଲୋକମାନଙ୍କୁ ସମର୍ଥନ କରି ଦେଶ ଏବଂ ଧର୍ମକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି । ହିନ୍ଦୁ ଧର୍ମକୁ ଘୃଣା କରୁଥିବା ଲୋକମାନେ ଶତାବ୍ଦୀ ଧରି କୌଣସି ନା କୌଣସି ପର୍ଯ୍ୟାୟରେ ବଞ୍ଚି ଆସୁଛନ୍ତି ।

ଏଥିସହିତ ମୋଦି ମନ୍ଦିର, ପରମ୍ପରା ଏବଂ ପର୍ବଗୁଡ଼ିକୁ ଟାର୍ଗେଟ କରୁଥିବା ଲୋକଙ୍କୁ ନିନ୍ଦା କରିଛନ୍ତି । କହିଛନ୍ତି, ସେମାନଙ୍କର ଏଜେଣ୍ଡା ହେଉଛି ସାମାଜିକ ଏକତାକୁ ବାଧା ଦେବା । ସେମାନେ ଏପରି ଏକ ଧର୍ମ ଏବଂ ସଂସ୍କୃତିକୁ ଆକ୍ରମଣ କରିବାକୁ ସାହସ କରନ୍ତି ଯାହା ସର୍ବଦା ପ୍ରଗତିଶୀଳ । ଆମ ସମାଜକୁ ବିଭାଜିତ କରିବା ଏବଂ ଏହାର ଏକତାକୁ ଭାଙ୍ଗିବା ସେମାନଙ୍କର ଉଦ୍ଦେଶ୍ୟ ବୋଲି କହି କଡା ଆକ୍ରମଣ କରିଛନ୍ତି ପ୍ରଧାମନ୍ତ୍ରୀ ।

ତେବେ କହିରଖୁଛୁ, ଗତ ଜାନୁଆରୀ ୧୩ରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭମେଳାର ଅବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ପାଇଁ ବିଜେପି ବିରୋଧୀ ନେତାମାନଙ୍କୁ ସମାଲୋଚନା କରିଆସୁଛି । ବିଶେଷକରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି ।  ଯିଏ ପ୍ରୟାଗରାଜ ଏବଂ ନୂଆଦିଲ୍ଲୀରେ ଦଳାଚକଟା ଯୋଗୁଁ ମୃତ୍ୟୁ ହୋଇଥିବା ପ୍ରସଙ୍ଗକୁ ଉଠାଇ, ମହାକୁମ୍ଭ ଭଳି ପବିତ୍ର କାର୍ଯ୍ୟକ୍ରମକୁ ‘ମୃତ୍ୟୁ କୁମ୍ଭ’ ବୋଲି ସମ୍ବୋଧନ କରିଥିଲେ । ସେହିପରି ଲାଲୁ ଯାଦବ, ମହାକୁମ୍ଭକୁ ବେକାର ବୋଲି କହିଥିଲେ । ଏଥିସହିତ ମଲ୍ଲିକାର୍ଜୁନ ଖଡଗେ, ଅଖିଳେଶ ଯାଦବ ମଧ୍ୟ ମହାକୁମ୍ଭକୁ ସମାଲୋଚନା କରିଥିଲେ । ଯାହାକୁ ନେଇ ଏବେ ଭତ୍ସନା କରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ।

Comments are closed.