Latest Odisha News

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର; ୧୦୦ ମାମଲା, ୬ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ  ଆପତ୍ତିଜନକ ପୋଷ୍ଟର ଲଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ୬ ଜଣଙ୍କୁ ଗିରଫ କରିସାରିଲାଣି । ଏଥସହିତ ୧୦୦ ମାମଲା ରୁଜୁ କରିଛି । ନ୍ୟୁଜ ଏଜେନ୍ସି ଏଏନଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରିଟିଂ ପ୍ରେସ ଅଧିନିୟମ ଏବଂ ସମ୍ପତ୍ତି ଅଧିନିୟମ ଧାରା ଅନୁଯାୟୀ ସମସ୍ତ ଅଭିଯୁ୍କ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସର କୌଣସି ସୂଚନା ନାହିଁ । ତେବେ ଏପରି ୫୦ ହଜାର ପୋଷ୍ଟର ଦିଲ୍ଲୀରେ ଲଗାଯିବାର ଯୋଜନା ଥିଲା ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରୁ ବାହାରକୁ ଆସୁଥିବା ଏକ ଭ୍ୟାନକୁ ମଧ୍ୟ ରୋକା ଯାଇଛି । ଏହି ଭ୍ୟାନରୁ କିଛି ପୋଷ୍ଟର ଜବତ କରାଯାଇଛି । ଏଥିସହିତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହି ମାମଲାରେ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟରେ ୨ଟି ଏଫଆଇଆର ରୁଜୁ ହୋଇଛି ଏବଂ ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଗାଡିର ଡ୍ରାଇଭର, ମାଲିକ ଏବଂ ସ୍ଥାନୀୟ ନାରାୟଣା ପ୍ରିଣ୍ଟିଂ ପ୍ରେସର ମାଲିକକୁ ଗିରଫ କରାଯାଇଛି ।

ସୂଚନାଥାଉ କି, ସାରା ଦିଲ୍ଲୀରେ ‘ମୋଦି ହଟାଓ ଦେଶ ବଚାଓ’ ଲେଖା ଥିବା ପୋଷ୍ଟର ଲଗାଯାଇଛି । ଗତକାଲି ପୋଲିସ ପାଖରେ ଏହି ଖବର ପହଞ୍ଚିଥିଲା । ପୋଲିସ ଧରପଗଡ କରି ୬ ଜଣଙ୍କୁ ଗିରଫ କରିଛି । ଏକ ରାଜେନୖତିକ ଦଳ ପକ୍ଷରୁ ଏହି ପୋଷ୍ଟର ମାରିବାକୁ ଦିଆଯାଇଥିବା ଗିରଫ ବ୍ୟକ୍ତି କହିଥିବା ଜଣାଯାଇଛି ।

ଅନ୍ୟପକ୍ଷେ ପୋଷ୍ଟର ମାମଲାରେ ପୋଲିସର ଆକ୍ସନକୁ ଦେଖି ବିପକ୍ଷ କଟୁ ସମାଲୋଚନା ଆରମ୍ଭ କରି ଦେଇଛି । ଆପ ସାସଂଦ ଏହାର ସମାଲୋଚନା କରି କହିଛନ୍ତି ‘ମୋଦି ସରକାର ଏକଛତ୍ରବାଦୀ ଶାସନର ଚରମ ସୀମାରେ । ବହୁତ ହୋଇଗଲା ।’

Comments are closed.