Latest Odisha News

BREAKING NEWS

ଲାଲକିଲ୍ଲାରୁ ପାକିସ୍ତାନକୁ ମୋଦିଙ୍କ ଟାର୍ଗେଟ୍; ‘ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ’

ନୂଆଦିଲ୍ଲୀ: ୭୯ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ନିଜ ଅଭିଭାଷଣରେ ପାକିସ୍ତାନକୁ କଡା ଟାର୍ଗେଟ କରିଛନ୍ତି ମୋଦି । ସେ କହିଛନ୍ତି, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବକ୍ତବ୍ୟରୁ ସ୍ପଷ୍ଟ ଯେ ଆଗାମୀ ଦିନରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବୟାନକୁ ପାକିସ୍ତାନ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି । କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ଏହାର ଅନେକ ନେତା ସିନ୍ଧୁ ଜଳ ଚୁକ୍ତିନାମାକୁ ପୁନଃଆରମ୍ଭ କରିବା ବିଷୟରେ କଥାବାର୍ତ୍ତା କରୁଛନ୍ତି । ତଥାପି, ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଅବସରରେ ସ୍ପଷ୍ଟ କରିଛନ୍ତି ଯେ କୌଣସି ପରିସ୍ଥିତିରେ ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅପରେସନ୍ ସିନ୍ଦୂରରେ ଦେଶବାସୀ ଆତ୍ମନିର୍ଭରଶୀଳତା ଏବଂ ଭାରତରେ ନିର୍ମିତ ଅସ୍ତ୍ରର ଶକ୍ତି ଦେଖିଛନ୍ତି, ଆମ ପାଖରେ ଯେଉଁ ଅସ୍ତ୍ର ଅଛି, ଯାହା ଗୋଟିଏ ମୁହୂର୍ତ୍ତରେ ଶତ୍ରୁକୁ ଧ୍ୱଂସ କରିଦେଇଛି । ୨୨ ଏପ୍ରିଲ ପରେ, ଆମେ ଆମର ସେନାକୁ ଫ୍ରି-ହ୍ୟାଣ୍ଡ ଦେଇଥିଲୁ । ଆମ ସେନା ଶତ୍ରୁକୁ କଡ଼ା ଜବାବ ଦେଇଛନ୍ତି । ଶତ୍ରୁଙ୍କୁ ଏମିତି ଦଣ୍ଡ ମିଳିଛି ଯେ ସେମାନେ କଳ୍ପନା କରିନଥିବେ । ପାକିସ୍ତାନର ଅନେକ ସ୍ଥାନ ସମ୍ପୂର୍ଣ୍ଣ ଧ୍ବଂ‌ସ ହୋଇଯାଇଛି ।

ଯଦି ଆମେ ଆତ୍ମନିର୍ଭରଶୀଳ ନଥାଆନ୍ତୁ, ତେବେ ଆମେ ଚିନ୍ତିତ ହୋଇଥାଆନ୍ତୁ ଯେ ଅନ୍ୟ ଦେଶ ଆମକୁ ସାହାଯ୍ୟର ହାତ ବଢ଼ାଇବେ କି ନାହିଁ, କିନ୍ତୁ ଏହା ଆମର ଆତ୍ମନିର୍ଭରଶୀଳତା ଥିଲା ଯେ ଆମେ ଆମର ନିଜସ୍ୱ କ୍ଷମତା ବଳରେ ଏହି ଅଭିଯାନ କରିଥିଲୁ ଏବଂ ସମଗ୍ର ଭାରତବର୍ଷ ଏହାର ଫଳାଫଳ ଦେଖୁଛନ୍ତି ବୋଲି ମୋଦି କହିଛନ୍ତି । ଆତଙ୍କବାଦ ଓ ଏହାର ଆକ୍କଙ୍କୁ ଆମେ ଅଲଗା ଭାବେ ଦେଖୁନୁ । ପରମାଣୁ ଧମକକୁ ଆମେ ଆଉ ସହ୍ୟ କରିବୁନି ।

Comments are closed.