Latest Odisha News

‘ଓଡ଼ିଶା ପର୍ବ- ୨୦୨୪’ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ଓଡିଶା ପର୍ବ–୨୦୨୪ର ଆଜି ଅନ୍ତିମ ଦିନ। ଆଜିର ଏହି ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବେ ସାମିଲ। ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ସରକାର, ପ୍ରଶାସନ ଓ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଓଡ଼ିଆ ସମାଜ ପକ୍ଷରୁ ତିନିଦିନ ଧରି ପାଳିତ ହେଉଥିବା ଓଡ଼ିଶା ପର୍ବର ଉଦଘାଟନୀ ସମାରୋହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଉଦଘାଟିତ ହୋଇଥିଲା। ଉଦଘାଟନୀ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଅନେକ ରାଜନେତା, ଲେଖକ, କଳାକାର, ଇତିହାସକାର, ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ ।

ଏହି ସାରସ୍ୱତ ସମାରୋହରେ ରାଷ୍ଟ୍ରପତି ଓଡ଼ିଶାର କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟର ସମୃଦ୍ଧ ଐତିହ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାରେ ଓଡ଼ିଶା ମହୋତ୍ସବର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଥିଲେ। ସେହିପରି କଳିଙ୍ଗ ଯୁଦ୍ଧ ଅଶୋକଙ୍କୁ କିପରି ‘ଚଣ୍ଡାଶୋକ’କୁ ‘ଧର୍ମାଶୋକ’ରେ ପରିଣତ କରିଥିଲା, ତାହାର ଉଦାହରଣ ଦେଇ ଏହି ଯୁଦ୍ଧ ଆମକୁ ଶିକ୍ଷା ପ୍ରଗତି ପାଇଁ ଶାନ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଓଡ଼ିଶା ପର୍ବ’ ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ଐତିହ୍ୟର ଏକ ମହାନ୍ ନିଦର୍ଶନ। ଯେଉଁ ହଜାର ହଜାର ଓଡ଼ିଆ ଭାଇଭଉଣୀମାନେ, ଦେଶର ରାଜଧାନୀ ଦିଲ୍ଲୀରେ ଅନେକ ବର୍ଷ ଧରି ରହିଆସୁଛନ୍ତି, ଏହି ମହୋତ୍ସବ ହେଉଛି ସେମାନଙ୍କ ପାଇଁ ଦିଲ୍ଲୀରେ ରହି ଓଡ଼ିଶାକୁ ଅନୁଭବ କରିବାର ଏକ ସୁନ୍ଦର ପ୍ରୟାସ । ଆମେ ସମସ୍ତେ ଗର୍ବିତ ଯେ ଆମେ ସମସ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିରେ ଜନ୍ମ ଲାଭ କରିଛୁ ଏବଂ ମହାନ ଓଡ଼ିଆ ଭାଷା ଓ ସଂସ୍କୃତିର ଉପାସକ ।

ତିନିଦିନ ବ୍ୟାପୀ ରାଷ୍ଟ୍ରୀୟ ରାଜଧାନୀରେ ପାଳିତ ହେଉଥିବା ଓଡ଼ିଶା ପର୍ବରେ ହଜାର ହଜାର ପ୍ରବାସୀ ଓଡ଼ିଆ ଓ ଅଣ ଓଡ଼ିଆଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରଦର୍ଶିତ ପାରମ୍ପରିକ ଓଡ଼ିଆ ଖାଦ୍ୟପେୟ ଷ୍ଟଲ୍‌ରେ ଗହଳି ଜମୁଛି । ହସ୍ତଶିଳ୍ପ, ହସ୍ତତନ୍ତ, ଓଡ଼ିଆ ପୁସ୍ତକରୁ ଅନୁବାଦ ହୋଇଥିବା ଇଂରାଜୀ ଏବଂ ହିନ୍ଦୀ ପୁସ୍ତକ ସହ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ମଧ୍ୟ ଲୋକମାନେ ବହୁଳ ମାତ୍ରାରେ କିଣୁଥିବା ନଜର ଆସିଛି।

Leave A Reply

Your email address will not be published.