Latest Odisha News

BREAKING NEWS

ଆଜି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ; ୬୮ ହଜାର କୋଟି ଟଙ୍କା ପ୍ରକଳ୍ପର କରିବେ ଶୁଭାରମ୍ଭ

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁର ଗସ୍ତରେ ଯାଇ ନବନିର୍ମିତ ଆଇଆଇଏମ ସ୍ଥାୟୀ ନୂଆ କ୍ୟାମ୍ପସର କରିବେ ଲୋକାର୍ପଣ । ଏହାସହ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିବେ ମୋଦି । ଯେଉଁଥିରେ ସମ୍ବଲପୁର ରେଳଷ୍ଟେସନର ନବୀକରଣର ଶୁଭ ଦିଆଯିବା ସହ, ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନକୁ ସୋନପୁର ଆଗକୁ ଲୋକାର୍ପିତ ହେବା ସହ ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ପ୍ରଥମେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବେ । ଏହାପରେ ହେଲିକପ୍ଟର ଯୋଗେ ସମ୍ବଲପୁରର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଅପରାହ୍ନ ୨ ଟା ୧୫ ସମୟରେ ଆଇଆଇଏମ କ୍ୟାମ୍ପସକୁ ଯିବେ । ଏଠାରେ ସେ ପ୍ରଥମେ ୪୦୦ କୋଟିର ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଟ ୨୩ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟ କିଛି ମନ୍ତ୍ରୀ ଯୋଗ ଦେବେ ।

ଏହାପରେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ ମୋଦି । ସେଠାରେ ୩ ଟା ୧୫ରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ଅପରାହ୍ନ ୫ ଟା ରେ ନୂଆଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୭୦ପ୍ଲାଟୁନ୍‌ ଫୋର୍ସ ସହ ସୁରକ୍ଷା ଦାୟିତ୍ବରେ ରହିବେ ୨୫୦ ପୋଲିସ ଅଫିସର । ସୁରକ୍ଷା ଦାୟିତ୍ୱରେ ୭ ଜଣ କମାଣ୍ଡାଣ୍ଟଙ୍କ ସହ ପ୍ରାୟ ୩ ଶହ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

 

Leave A Reply

Your email address will not be published.