Latest Odisha News

ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ମାଗିଲେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ପୁଣିଥରେ ଅଦଳ ବଦଳ ଚର୍ଚ୍ଚା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ବୈଠକ ଡାକିଛନ୍ତି। ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ବସିବ ଏହି ବୈଠକ। ସମସ୍ତ ମନ୍ତ୍ରୀଙ୍କୁ ଏହି ବୈଠକରେ ଯୋଗଦେବାକୁ କୁହାଯାଇଛି। ଏହି ସମୟରେ ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗର ରିପୋର୍ଟ କାର୍ଡ ଉପସ୍ଥାପନ କରିବେ ବା କଣ ସବୁ କାମ ହୋଇଛି ତାର ହିସାବ ରଖିବେ। ଏହାକୁ ଆଧାର କରି ମୋଦୀ ସରକାରଙ୍କ କ୍ୟାବିନେଟକୁ ସମ୍ପ୍ରସାରଣ କରାଯିବ ବୋଲି ଚର୍ଟ୍ଟା ହେଉଛି।

ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଏପର୍ଯ୍ୟନ୍ତ କେବଳ ଥରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇଛି। ଦୁଇ ବର୍ଷ ତଳେ ହୋଇଥିବା ଅଦଳ ବଦଳ ବେଳେ ଅନେକ ବଡ ନେତାଙ୍କୁ ମଧ୍ୟ କ୍ୟାବିନେଟରୁ ଆଉଟ କରି ଦିଆଯାଇଥିଲା। ଯେଉଁଥିରୁ ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକର, ହର୍ଷବର୍ଦ୍ଧନ ସିଂ ଏବଂ ସାନ୍ତୋଷ କୁମାର ଗାଙ୍ଗୱାରଙ୍କ ସମେତ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନାମ ପ୍ରମୁଖ ଥିଲା। ଏହା ସହିତ ଅନେକ ନୂଆ ଚେହେରାକୁ କ୍ୟାବିନେଟରେ ମଧ୍ୟ ସ୍ଥାନ ଦିଆଯାଇଥିଲା। ଏବେ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନ ଏବଂ ହିନ୍ଦୀ ହାର୍ଟଲ୍ୟାଣ୍ଡ (ଛତିଶଗଡ, ମଧ୍ଯପ୍ରଦେଶ ଓ ରାଜସ୍ଥାନ)ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦେଖି ନୂଆ ମନ୍ତ୍ରିମଣ୍ଡଳ ତିଆରି ହେବ।

ଏହାପୂର୍ବରୁ, ଜୁନ୍ ୨୯, ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ମଧ୍ୟ ଏକ ବୈଠକ ବସିଥିଲା। ଏହି ବୈଠକରେ ବିଜେପି ସଭାପତି ଜେ.ପି ନଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଉପସ୍ଥିତ ଥିଲେ।

Leave A Reply

Your email address will not be published.