Latest Odisha News

BREAKING NEWS

କର୍ଣ୍ଣାଟକ ବିଜେପିକୁ କଂଗ୍ରେସ ଝଟକା! ବିନା ବିରୋଧୀ ଦଳ ନେତାରେ ଚାଲିଲା ବିଧାନସଭା

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜେପିର ଘର କଳି ଶୀର୍ଷରେ ପହଂଚିଛି। ସ୍ଥିତି ଏଭଳି ହୋଇଛି ଯେ ନିର୍ବାଚନ ଶେଷ ହୋଇ କଂଗ୍ରେସ ସରକାର ଗଠନ ହେବା ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଲାଣି। କିନ୍ତୁ ଏ ଯାଏ ବିଜେପି ବିରୋଧୀ ଦଳ ନେତା ଚୟନ କରିପାରି ନାହିଁ।

ଏପରିକି ବିନା ବିରୋଧୀ ଦଳ ନେତା ବା ବିନା ନେତୃତ୍ୱରେ ବିଧାନସଭାକୁ ଯାଇଛି ଦଳ। କର୍ଣ୍ଣାଟକରେ ବଡ଼ ପରାଜୟ ପରେ ବିଜେପି ଭିତରେ ଅନ୍ତର୍ଦ୍ବନ୍ଦ୍ୱ ଏଭଳି ହୋଇଛି ଯେ ଲୋକଙ୍କ ସମ୍ମୁଖରେ ବିଜେପିର ବରିଷ୍ଠ ନେତାମାନେ ଯୁଦ୍ଧ କରୁଛନ୍ତି। ଦଳୀୟ ଚେତାବନୀକୁ ମାନୁନାହାନ୍ତି। ଓଲଟା ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଉଛନ୍ତି।

ସେପଟେ ଦଳର ନେତୃତ୍ୱ ଅସହାୟ ଅବସ୍ଥାରେ ପଡିଥିବା ଚର୍ଚ୍ଚା ହେଉଛି। ତେଣୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା ଚୟନ ହୋଇପାରି ନ ଥିବାରୁ ଦଳର କେନ୍ଦ୍ରୀୟ ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।

ଦଳର ଜାତୀୟ ସଭାପତି ଜେ ପି ନଡ୍ଡା ଏହି ନିଯୁକ୍ତି ଦେଇଛନ୍ତି। ଏହି ଦୁଇ ନେତା କର୍ଣ୍ଣାଟକ ଗସ୍ତ କରି ବିରୋଧୀ ଦଳ ନେତା ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ ବୋଲି ବିଜେପି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଅନୀଲ ବାଲୁନି କହିଛନ୍ତି।

ପର୍ଯ୍ୟବେକ୍ଷକ ମାନେ ବିଜେପି ବିଧାୟକ ମାନଙ୍କ ମତାମତ ନେଇ ଦଳୀୟ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ। ତା ପରେ ଦଳୀୟ ନେତୃତ୍ୱ ବିରୋଧୀ ଦଳ ନେତା ଚୟନ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ।

ବିରୋଧୀ ଦଳ ନେତା ଚୟନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବି ଏସ ୟେଦ୍ୟୁରପ୍ପାଙ୍କୁ ଦିଲ୍ଲୀ ଡକାଯିବା ସହ ବୈଠକ କରାଯାଇଛି। କିନ୍ତୁ ନିର୍ବାଚନ ଶେଷ ହେବାର ଦେଢ଼ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିଜେପି କର୍ଣ୍ଣାଟକ ରେ ବିରୋଧୀ ଦଳ ନେତା ଚୟନ କରି ନ ପାରିବାକୁ ନେଇ କଂଗ୍ରେସ ସମାଲୋଚନା କରିଛି।

ଦଳର ବହୁ ବରିଷ୍ଠ ନେତା ଏହି ପଦ ପାଇଁ ଜିଦ ଧରି ବସିଛନ୍ତି। ଯାହାକୁ ନେଇ ଅଡୁଆ ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ବଡ଼ ପରାଜୟକୁ ନେଇ ନେତାମାନେ ପରସ୍ପରକୁ ଦୋଷ ଦେଉଥିବା ବେଳେ ଅନ୍ୟପଟେ ନେତା ବି ଚୟନ ହୋଇପାରିନି।

ସେପଟେ କର୍ଣ୍ଣାଟକରେ ଦଳର ରାଜ୍ୟ ସଭାପତି ଓ ଅନ୍ୟ ସାଙ୍ଗଠନିକ ପରିବର୍ତ୍ତନ ହେବ। ଯାହାକୁ ନେଇ ମଧ୍ୟ ଦ୍ବନ୍ଦ୍ୱ ଉପୁଜିଛି। ତେଣୁ ନିର୍ବାଚନ ହାରିବା ପରେ କେହି କାହାକୁ ମାନୁ ନ ଥିବାରୁ ଦଳ ଆଗାମୀ ଲୋକସଭା ନିର୍ବାଚନ ସହ ଅନ୍ୟାନ୍ୟ ନିର୍ବାଚନକୁ କିଭଳି ସମ୍ମୁଖୀନ ହେବ ତାକୁ ନେଇ ଚର୍ଚା ଜୋର ଧରିଛି।

Leave A Reply

Your email address will not be published.