ନୂଆଦିଲ୍ଲୀ: ଆଜି ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନୂଆଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ମୌସମର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ ଦେଢ଼ଶହ ବର୍ଷରେ କୋଟି କୋଟି ଭାରତୀୟଙ୍କୁ ପାଣିପାଗ ବିଭାଗ ସେବା ଯୋଗାଇଦେବା ସହ ଭାରତୀୟ ବୈଜ୍ଞାନିକ ମାନଙ୍କ ଉପଲବ୍ଧିର ପ୍ରତୀକ ପାଲଟିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗର ବିକାଶ ଯୋଗୁଁ ବିପର୍ଯ୍ୟୟ ପରିଚାଳନା ସାମର୍ଥ୍ୟରେ ଗତ ୧୦ ବର୍ଷ ମଧ୍ୟରେ ଅଭୂତପୂର୍ବ ବୃଦ୍ଧି ଘଟିଛି ଏବଂ ଏହାର ଲାଭ ସାରା ବିଶ୍ୱକୁ ମିଳୁଛି । ଦେଶକୁ ଜଳବାୟୁ ଅନୁକୂଳ ସକ୍ଷମ ରାଷ୍ଟ୍ରରେ ପରିଣତ କରିବା ଲାଗି ମିଶନ ମୌସମ ଆରମ୍ଭ କରାଯାଇଛି । ଏଥିରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କ୍ଷେତ୍ରକୁ ଆହୁରି ସୁଦୃଢ଼ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଖାଲି ସେତିକି ନୁହଁ ଭାରତୀୟ ପାଣିପାଗ ବିଭାଗର ଫ୍ଲଡ ଗାଇଡାନ୍ସ ସିଷ୍ଟମ ନେପାଳ, ଭୂଟାନ, ବାଂଲାଦେଶ ଏବଂ ଶ୍ରୀଲଙ୍କାକୁ ମଧ୍ୟ ସହାୟତା କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଏମଡି ଭିଜନ ୨୦୪୭ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରିବା ସହ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି ।