Latest Odisha News

ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପିକେ ମିଶ୍ରଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ସମେତ ୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି।

ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ତିନିଜଣଙ୍କୁ ସମ୍ମାନଜନକ ଡିଲିଟ୍ ଡିଗ୍ରୀ ପ୍ରଦାନ କରିଥିଲେ। ଏହି ଉତ୍ସବରେ ରାଜ୍ୟପାଳ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ରଘୁବର ଦାସ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ।

ଶ୍ରୀ ମିଶ୍ରଙ୍କ ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓ ହିଣ୍ଡାଲକୋର ପରିଚାଳନା ନିର୍ଦେଶକ (ଏମଡି) ସତୀଶ ପାଇଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା।

ସମାବର୍ତ୍ତନ ଉତ୍ସବରେ ସେମାନଙ୍କ ବ୍ୟତୀତ ମୋଟ ୧୬୬ ଜଣ ବିଦ୍ୟାର୍ଥୀଙ୍କୁ ପିଏଚଡି ଡିଗ୍ରୀ ଓ ୯୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

ଗୁଜରାଟ କ୍ୟାଡରର ୧୯୭୨ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପିକେ ମିଶ୍ର ୨୦୧୯ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଶ୍ରୀ ମିଶ୍ର ସେପର୍ଯ୍ୟନ୍ତ ପିଏମଓରେ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୧୯ ଜୁନ୍ ୧୨ତାରିଖରେ ତାଙ୍କୁ ମୋଦି ୨.୦ ସରକାରରେ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ମିଳିଥିଲା। ନୃପେନ୍ଦ୍ର ମିଶ୍ର ଇସ୍ତଫା ଦେବାକୁ ଘୋଷଣା କରିବା ପରେ ମିଶ୍ର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ସମ୍ବଲପୁର ସହରର ପଟ୍ଟନାୟକପଡ଼ାରେ ଜନ୍ମିତ ଶ୍ରୀ ମିଶ୍ର ସମ୍ବଲପୁର ଜିଲ୍ଲା ବିଦ୍ୟାଳୟରୁ ପାଠ ପଢ଼ିବା ସହ ଜିଏମ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ସେହିପରି ମେଟାଲ ବା ଧାତୁ ଶିଳ୍ପର ଅଭିବୃଦ୍ଧି ରେ ଉଲ୍ଲେଖନୀୟ ଅବଦାନ ଏବଂ ଶିଳ୍ପର ସ୍ଥାୟୀତ୍ୱ ଏବଂ ରୂପାନ୍ତର ପାଇଁ ପାଇଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ସତୀଶ ପାଇ ଏହାର ଏମଡି ଅଟନ୍ତି।

ଆଦିତ୍ୟ ବିର୍ଲା ଗ୍ରୁପ୍ ର ଫ୍ଲାଗସିପ୍ ମେଟାଲ କମ୍ପାନି ହିଣ୍ଡାଲ୍କୋ ୨୦୧୬ରୁ ଧାତୁ ଶିଳ୍ପରେ ଅନେକ ଉଦ୍ଭାବନ ଓ ଅଭିବୃଦ୍ଧି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଓଡ଼ିଶାରେ ହିଣ୍ଡାଲକୋର ଦୃଢ଼ ଉପସ୍ଥିତି ରହିଛି ଏବଂ ଗତ ୧୫ ବର୍ଷ ମଧ୍ୟରେ ଅନେକ କାର୍ଯ୍ୟକ୍ଷମ ଶିଳ୍ପ ଏବଂ ୨୫,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ହୋଇଛି। ଉତ୍ସବରେ କୁଳପତି ସବିତା ଆଚାର୍ଯ୍ୟ, ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଏବଂ ଦେଶର ୧୭ତମ ପୁରାତନ ବିଶ୍ୱବିଦ୍ୟାଳୟ । କଟକର ତତ୍କାଳୀନ ରେଭେନ୍ସା ମହାବିଦ୍ୟାଳୟ ପରିସରରେ ୧୯୪୩ ମସିହାରେ ଏହି ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପରେ ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶା ରାଜଧାନୀରେ ଏହାର ସ୍ଥାୟୀ କ୍ୟାମ୍ପସକୁ ସ୍ଥାନାନ୍ତରିତ ହୋଇଥିଲା।

Comments are closed.