Latest Odisha News

BREAKING NEWS

ବଳରାମ ପୁଜାରୀଙ୍କ କବିତା ସଙ୍କଳନ ‘ଶ୍ବେତପତ୍ର’ ଉନ୍ମୋଚିତ

ଭୁବନେଶ୍ବର : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ କବି ବଳରାମ ପୁଜାରୀଙ୍କ ପଞ୍ଚମ କବିତା ସଙ୍କଳନ ‘ଶ୍ବେତପତ୍ର’ ସ୍ଥାନୀୟ ବିହାର ସ୍ଥିତ ପେନ୍‌ ଇନ୍‌ ବୁକ୍ସ କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ଉତ୍ସବରେ ସୁଦୂର ମାଲକାନଗିରିରୁ ଆସିଥିବା ବଣ୍ଡା ଓ ଦିଦାୟୀ ଜନଜାତିର ପ୍ରତିନିଧି ଦଳ ଯୋଗ ଦେଇଥିଲେ । ଏ ଅବସରରେ ମୁଖ୍ୟଅତିଥି ଶ୍ରୀ ଦାସ ବଣ୍ଡା ସଂପ୍ରଦାୟର ସଭାପତି ସୁରେନ୍ଦ୍ର ନାୟକ ଓ ଦିଦାୟୀ ସଂପ୍ରଦାୟର ସଭାପତି ସମରା ଶିଶାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ହରପ୍ରସାଦ ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ କହିଲେ ଯେ ଆମେ ଯେଉଁ ଉପାନ୍ତବାସୀଙ୍କ ବିଷୟରେ ବୌଦ୍ଧିକ ଆଲୋଚନା କରୁ ସେମାନଙ୍କ ପାଖରେ ତାହା କ୍ବଚିତ ପହଞ୍ଚିପାରେ। ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଶାସକ ଓ କୋଟିଆ-ସଂଗ୍ରାମୀ ଗଦାଧର ପରିଡ଼ା ଯୋଗଦେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ସହ ଭାବବିନିମୟ କରିବା ସହ ସୀମାନ୍ତ ଅଞ୍ଚଳର ସାଂସ୍କୃତିକ ଓ ଭାଷାଗତ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ହିମାଦ୍ରି ତନୟା ମିଶ୍ର ‘ଶ୍ବେତପତ୍ର’ ପୁସ୍ତକର ସମୀକ୍ଷା କରିବା ସହ ଏହାର କବିତା ସବୁ ମାଟି ଓ ମାଟିମଣିଷଙ୍କ କଥା କହିଛି ବୋଲି ମତ ରଖିଥିଲେ। କବି ଶ୍ରୀ ପୂଜାରୀ ନିଜର ଲେଖକୀୟ ବକ୍ତବ୍ୟରେ ଆଦିବାସୀ ପ୍ରତିନିଧିମାନଙ୍କୁ ମାଟିର ଈଶ୍ବର ବୋଲି ଅବିହିତ କରିଥିଲେ ।

କଥାଶିଳ୍ପୀ ତଥା ପେନ୍‌ ଇନ୍‌ ବୁକ୍ସର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ଉତ୍ସବରେ ବ୍ୟଙ୍ଗକବି ଗିରୀଶ ରଂଜନ ସ୍ବାଗତ ଭାଷଣ ଦେଇଥିବା ବେଳେ ପବିତ୍ରମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.