Latest Odisha News

BREAKING NEWS

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ, ଆଉ କିଛି ଅଟକ

ଯାଜପୁର: ତୃତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅନ୍ତର୍ଗତ ବାଛୋଲରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ତା ନାଁ ରାକେଶ ମଳିକ । କିଛି ସହଯୋଗୀଙ୍କୁ ବି ପୋଲିସ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା ଚାଲିଛି । ଆକ୍ରମଣ ଘଟଣାରେ କେଉଁମାନଙ୍କର ସଂପୃକ୍ତି ରହିଛି ସେନେଇ ତଦନ୍ତ ଚାଲିଛି । ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଯାଜପୁର ଏସପି ରାହୁଲ ପି.ଆର୍ କହିଛନ୍ତି ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨୦ରୁ ଅଧିକ ଲୋକଙ୍କୁ ଥାନକୁ ଆଣିଥିଲା । ସେମାନଙ୍କ ଭିତରେ କିଛି ମହିଳା ବି ଥିଲେ । ଏପରିକି ବାଛୋଲ ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ କରିଥିଲା ପୋଲିସ । ଗତକାଲି ପଞ୍ଚାୟତ ନିର୍ବାଚନ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ ।

ବାଛୋଲ ପଞ୍ଚାୟତର ୨ ଓ ୪ ନମ୍ବର ବୁଥରୁ କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସ ଛଡ଼ାଇ ପୋଖରୀରେ ଫିଙ୍ଗି ଦେଉଥିଲେ। ଏହି ସମୟର ଭିଡିଓ କରିବାକୁ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ସେମାନଙ୍କୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ । ଆକ୍ରମଣର ଶିକାର ହୋଇଥିଲେ ୩ ଜଣ ସାମ୍ବାଦିକ ।

ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଥିଲା । ସାମ୍ବାଦିକଙ୍କ ପ୍ରତିନିଧି ଦଳ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଘଟଣାକୁ ନିନ୍ଦା କରିବା ସହ କାର୍ୟ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନ ।

Comments are closed, but trackbacks and pingbacks are open.