Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ । ତୃତୀୟ ତଥା ଅନ୍ତିମ ମ୍ୟାଚରେ ୧୭ ରନରେ ବିଜୟ ହାସଲ କରିଛି ଭାରତ । ଏହି ମ୍ୟାଚ୍ ବିଜୟ ସହ ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସିରିଜକୁ ୩-୦ରେ ନିଜ ନାଁରେ କରିଛି । ଅହମ୍ମଦାବାଦରେ ଦିନିକିଆ ସିରିଜକୁ ବି ୩-୦ରେ କ୍ଲିନ୍ ସୁଇପ୍ କରିଥିଲା ମେନ୍ ଇନ୍ ବ୍ଲ୍ୟୁ ।

ତୃତୀୟ ଟି-ଟ୍ୱେଣ୍ଟିରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୮୪ ରନ୍ କରିଥିଲା । ସୂର୍ୟ୍ୟକୁମାର ଯାଦବ ସର୍ବାଧିକ ୬୫ ରନ୍ କରିଥିବା ବେଳେ ଭେଙ୍କଟେଶ ଆୟାର ଅପରାଜିତ ୩୫ ଓ ଇଶାନ୍ କିଷାନ୍ ୩୪ ରନ୍ କରିଥିଲେ । ଶେଷ ୬ ଓଭରରେ ସୂର୍ୟ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟାର ୯୧ ରନ୍ ପିଟିଥିଲେ ।

୧୮୫ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୱେଷ୍ଟଇଣ୍ଡିଜ୍ ୧୬୭ ରନ୍ କରି ପାରିଥିଲା । ଶେଷ ଓଭର ଯାଏ ମ୍ୟାଚରେ ରହିଥିଲା ରୋମାଞ୍ଚ । ଶେଷ ତିନି ଓଭରରେ ବିଜୟ ପାଇଁ ୱେଷ୍ଟିଣ୍ଡିଜକୁ ଦରକାର ଥିଲା ୩୭ ରନ୍ । କିନ୍ତୁ ଶେଷ ଓଭରରେ ଭଲ ବୋଲିଂ କରିଥିଲେ ଭାରତୀୟ ବୋଲର ।

୧୮ତମ ଓଭରରେ ସାର୍ଦ୍ଦୁଲ ଠାକୁର ୬ ରନ୍ ଦେଇ ଗୋଟିଏ ୱିକେଟ ନେଇଥିଲେ । ୧୯ତମ ଓଭରରେ ୮ ରନ୍ ଦେଇ ନେଇଥିଲେ ଗୋଟିଏ ୱିକେଟ୍ । ଶେଷ ଓଭରରେ ଜିତିବା ପାଇଁ ଦରକାର ଥିଲା ୨୩ ରନ୍ । ସାର୍ଦ୍ଦୁଲ ମାତ୍ର ୫ ରନ୍ ଦେଇ ଗୋଟିଏ ୱିକେଟ ନେଇଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲସ୍ ପୁରଣ ୪୭ ବଲରୁ ୬୧ ରନ୍ କରିଥିଲେ ।

ଏହି ସିରିଜ ବିଜୟ ସହ ଭାରତ ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଂରେ ଏକ ନମ୍ବର ସ୍ଥାନକୁ ଯାଇଛି । ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ୨୬୮ ପଏଣ୍ଟ ସହ ଇଂଲଣ୍ଡ ପଛକୁ ଦୁଇ ନମ୍ବର ସ୍ଥାନରେ ରହିଥିଲା । ସେହିପରି ରୋହିତ ଶର୍ମା ଫୁଲ୍ ଟାଇମ୍ କ୍ୟାପଟେନ୍ ହେବା ପରେ ଏହା ତାଙ୍କର ଲଗାତାର ତୃତୀୟ କ୍ଲିନ୍ ସୁଇପ୍ ।

Comments are closed, but trackbacks and pingbacks are open.