Latest Odisha News

ହତ୍ୟାକାରୀ ସ୍ବାମୀକୁ ବାନ୍ଧିଲା ପୋଲିସ

ଅନୁଗୁଳ: ପୋଲିସ ପଞ୍ଝାରେ ଧରାପଡିଲା ସ୍ତ୍ରୀକୁ ହତ୍ୟାକରିଥିବା ସ୍ବାମୀ । ଅନୁଗୁଳ ସହରରେ ଥିବା ସୌଭାଗ୍ୟନଗରର ଏକ ପଡ଼ିଆରୁ ଗତ ୨୭ ତାରିଖ ବିନୋଦିନୀ ଗୋଚ୍ଛାୟତ ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ତାଙ୍କ ଦ୍ବିତୀୟ ସ୍ବାମୀ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ମହିଳାଙ୍କ ମା’ ଅଭିଯୋଗ କରିଥିଲେ । ଏହା ପରେ ଅନୁଗୁଳ ଥାନା ପୁଲିସ ୬୮୨/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ।

‌ଏପଟେ ଘଟଣା ପରେ ଦ୍ବିତୀୟ ସ୍ବାମୀ ଶୁକଦେବ ଗୋଚ୍ଛାୟତ ଫେରାର୍‌ ହୋଇଯାଇଥିଲେ । ତଦନ୍ତ ସମୟରେ ପୁଲିସ ଶୁକଦେବ ଏହି ହତ୍ୟା କରିଥିବା ସୁରାକ ପାଇଥିଲା । ପରେ ପୋଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଶେଷ‌ରେ ତାକୁ ଢେଙ୍କାନାଳରୁ ଗିରଫ କରାଯାଇଛି । ଗିରଫ ପରେ ହତ୍ୟାକାଣ୍ଡ ନେଇ ଶୁକଦେବ ସ୍ବୀକାର କରିଛି । ଏପରିକି କେମିତି ଏହି ହତ୍ୟାକାଣ୍ଡ ଭିଆଇଥିଲା, ତା’ର ଡେମୋ କରି ଆଜି ପୋଲିସକୁ ଦେଖାଇଛି । ପରେ ପୋଲିସ ତାକୁ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ବିନୋଦିନୀ ଗୋଚ୍ଛାୟତ ୧୫ ବର୍ଷ ତଳେ ତୁମୁଣୀ ଗାଁରେ ବିବାହ କରିଥିଲେ । ତାଙ୍କର ୨ଟି ପୁଅ ଓ ୩ଟି ଝିଅ ରହିଛନ୍ତି । କିନ୍ତୁ ୮ ମାସ ପୂର୍ବରୁ ବିନୋଦିନୀ ଢେଙ୍କାନାଳ ଜିଲ୍ଲା ଶୁକଦେବ ଗୋଚ୍ଛାୟତଙ୍କୁ ପ୍ରେମ କରି ତାଙ୍କ ସହ ପଳାଇ ଯାଇଥିଲେ । ଦୁହେଁ ୮ ମାସ ଏକାଠି ରହିବା ପରେ ଗତ ମାସରେ ସୌଭାଗ୍ୟନଗର ଆସିଥିଲେ ।

ହତ୍ୟାକାଣ୍ଡ ପୂର୍ବ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ‌ସ୍ବାମୀ ଶୁକଦେବଙ୍କ ସହ ବିନୋଦିନୀ ରାତିରେ ଘରୁ ବାହାରି ଆସିଥିଲେ । ପରେ ପଡ଼ିଆକୁ ଡାକିନେଲ ଶୁକଦେବ ପତ୍ନୀଙ୍କ ବେକକୁ ପିନ୍ଧିଥିବା ଲୁଗା ଓ ରୁମାଲ୍‌ ଚିପି ହତ୍ୟା କରିଥିଲେ ।

Comments are closed.