Latest Odisha News

BREAKING NEWS

ଚୋରି ଗହଣା ପିନ୍ଧାଇ ଧରାପଡିଲା ଚୋର !

ତେଲେଙ୍ଗାନା: ସଫଳ ହୋଇଥିଲା ଚୋରି ଉଦ୍ୟମ । ଚୋର ହାତରେ ପଡିଥିଲା ମୂଲ୍ୟବାନ ଗହଣା । କିଏ ଓ କେମିତି ଚୋରି କରିଥିଲା ପୋଲିସ ଟେର୍ ବି ପାଇନଥିଲା । ହେଲେ ଶେଷରେ ଚୋରି ଗହଣାକୁ ପିନ୍ଧିବା ପରେ ଧରାପଡିଥିଲା ଚୋର ।

ହାଇଦ୍ରାବାଦରେ ଏକ ହ୍ୱାଟ୍ସଆପ୍ ଷ୍ଟାଟସ୍ ଫଟୋକୁ ଦେଖି ଜଣେ ମହିଳା ନିଜ ଗହଣା ଚୋରକୁ ଧରିବାରେ ସଫଳ ହୋଇଛନ୍ତି । ୧୫ମାସ ପୂର୍ବର ଚୋରି ମାମଲାକୁ ଆଧାର କରି ରଚକୋଣ୍ଡା ପୋଲିସ ଚୋରକୁ ଗିରଫ କରିବାରେ ସଫଳ ହୋଇଛି ।

ପୋଲିସର ତଦନ୍ତ ରିପୋର୍ଟ ଅନୁଯାୟୀ ମଲକଜଗିରି ସାଇପୁରୀ କଲୋନୀରେ ରହୁଥିବା ଅଙ୍ଗିଦି ରବିକିରନଙ୍କ ଘରୁ ୨୦୧୯, ଜୁଲାଇ ୧୨ରେ ଏକ ଗହଣା ଚୋରି ହୋଇଥିଲା । ସେ ମନ୍ଦିର ଯାଇଥିବାବେଳେ ଘରେ ଚାବି ପକାଇବାକୁ ଭୁଲିଯାଇଥିଲେ । ହେଲେ ଘରକୁ ଫରିବା ପରେ ଗହଣା ଚୋରି ହୋଇଥିବା ନେଇ ସେ ଜାଣିପାରିନଥିଲେ । ତେବେ କିଛି ଦିନ ପରେ ଆଲିମୀରାରୁ ଗହଣା ଗାୟବ ଥିବା ସେ ଜାଣିବାକୁ ପାଇଥିଲେ ।

ଘଟଣାକୁ ବର୍ଷେରୁ ଅଧିକ ହୋଇଥିଲେ ବି ହଠାତ୍ ନିଜର ଜଣେ ପଡୋଶୀଙ୍କ ହ୍ୱାଟ୍ସଆପ ଫଟୋ ଦେଖି ରବିକିରିନ୍ ତାଜୁବ ହୋଇଥିଲେ । ପଡୋଶୀ ପୋନୁଗୋଟ୍ଟି ଜିତେନ୍ଦରଙ୍କ ମାଆ ଏକ ଗହଣା ପିନ୍ଧି ହ୍ୱାଟ୍ସଆପ ଷ୍ଟାଟସ୍‌ରେ ଫଟୋ ଦେଇଥିଲେ । ସେହି ଗହଣାଟି ନିଜର ବୋଲି ଚିହ୍ନିବାକୁ ରବିକିରନଙ୍କୁ ତିଳେ ହେଲେ ସମୟ ଲାଗିନଥିଲା ।

ଏ ନେଇ ରବିକିରନ ଥାନାରେ ପୁନଃ ଅଭିଯୋଗ ଆଣିବା ପରେ ଅଭିଯୁକ୍ତ ପୋନୁଗୋଟ୍ଟିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ପୁଅର ଚୋରି ଘଟଣାକୁ ଜାଣି ସୁଦ୍ଧା ତାକୁ ସମର୍ଥନ କରିଥିବାରୁ ଅଭିଯୁକ୍ତର ମାଆକୁ ପୋଲିସ ନୋଟିସ୍ ଜାରି କରିଛି ।

Leave A Reply

Your email address will not be published.