ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଉତ୍ତର ପ୍ରଦେଶ ପୁଲିସ ଗୁଜରାଟର ସାବରମତୀ ଜେଲ୍ରୁ ପ୍ରୟାଗରାଜ ନେଉଛି। ଏହାରି ଭିତରେ ଅତିକ ଅହମଦକୁ ଏନ୍କାଉଣ୍ଟରରେ ମାରିଦେବା ଭୟ ରହିଛି। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଇପାରେ ବୋଲି ମଧ୍ୟ ବିରୋଧୀ ସମାଲୋଚନା କରୁଛନ୍ତି। ହେଲେ ପୁଲିସ ସତର୍କତାର ସହ ପ୍ରୟାଗରାଜ ଆଣିଲାବେଳେ ସତକୁ ସତ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯଦିଓ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ତେବେ ଗାଡ଼ି ଧକ୍କା ଖାଇଥିବା ଗାଈଟିର ମୃତ୍ୟୁ ହୋଇଛି।
ସୋମବାର ସକାଳେ ଉତ୍ତର ପ୍ରଦେଶର ଶିବପୁରୀ ଠାରେ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, କଡ଼ା ପୁଲିସ ସୁରକ୍ଷାରେ ତାକୁ ପ୍ରୟାଗରାଜ ଅଣାଯାଉଥିଲା। ପୁଲିସ କାର୍କେଡ୍ ଶିବପୁରୀ ଠାରେ ହୋଇଥିବା ବେଳେ ରାସ୍ତାକୁ ହଠାତ୍ ଏକ ଗାଈ ଚାଲିଆସିଥିଲା। ପୁଲିସ ଭ୍ୟାନ୍ରେ ଗାଈଟି ପିଟି ହୋଇ ଛିଟିକି ପଡ଼ିଥିଲା। ଘଟଣା ସ୍ଥଳରେ ଗାଈର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନା ଥାଉକି ଗତକାଲି ୟୁପି ପୁଲିସ ଅତିକୁ ଆଣିବାକୁ ସାବରମତୀ ଜେଲ୍ରେ ପହଞ୍ଚିଥିଲା। ସେଠାରେ ପୂରା ବ୍ୟବସ୍ଥା କରି ତାକୁ ଅଣାଯାଉଛି। ଅତିକ ବିରୋଧରେ ଜେଲ୍ରେ ଥାଇବି ବ୍ୟବସାୟୀ ମୋହିତ ଜୈଶ୍ୱାଲଙ୍କୁ ହତ୍ୟା କରିଥିବା ଅଭିଯୋଗ ଲାଗିଛି। ସେହିପରି ଫେବ୍ରୁଆରୀ ୨୪ରେ ପ୍ରୟାଗରାଜରେ ଉମେଶ ପାଲ ହତ୍ୟା କାଣ୍ଡରେ ବି ଅତିକର ହାତ ଥିବା ଅଭିଯୋଗ ହୋଇଛି। ମାର୍ଚ୍ଚ ୨୮ ତାରିଖରେ ତାକୁ ପ୍ରୟାଗରାଜ କୋର୍ଟ ହାଜର କରାଯିବ।
କହି ରଖୁଛୁ ଯେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ପରିବାର ଉପରେ ୧୬୦ ଅପରାଧିକ ମାମଲା ରହିଛି। ସେଥିମଧ୍ୟରୁ ଅତିକ ନାଁରେ ୧୦୦ଟି ମାମଲା ରହିଥିବା ବେଳେ ଭାଇ ଅଶ୍ରଫ ନାଁରେ ୫୨ଟି, ପତ୍ନୀ ଶାଇସ୍ତା ପ୍ରଭୀନ ନାଁରେ ୩, ପୁଅ ଅଲୀ ନାଁରେ ୪ ମାମଲା ରହିଥିବା ବେଳେ ଉମର ଅହମଦ ନାଁରେ ୧ ମାମଲା ରହିଛି। ଅତିକ ନାଁରେ ୫୪ ମାମଲା ବିଭିନ୍ନ କୋର୍ଟରେ ବିଚାର ଚାଲିଛି।
ଉତ୍ତର ପ୍ରଦେଶ ପୁଲିସ ଅତିକର ପୁଅ ଅସଦକୁ ଖୋଜୁଛି। ଧରାଇବାକୁ ୨.୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛି। ଅତିକ ଅହମଦ ପରିବାର ନାଁରେ ଥିବା ୧୧,୬୮୪ କୋଟି ସମ୍ପତ୍ତିକୁ ପୁଲିସ ସିଜ୍ କରିଥିବା ବେଳେ ପ୍ରୟାଗରାଜ ଥିବା ୭୫୧ କୋଟି ଟଙ୍କାର ସମ୍ପତ୍ତି ଜବର ଦଖଲ ଉଚ୍ଛେଦ କରାଯାଇଛି। ଅତିକର ସ୍ତ୍ରୀ ପ୍ରଭୀନ ନାଁରେ ୮ କୋଟି ଟଙ୍କାର ସମ୍ପତ୍ତିକୁ ମଧ୍ୟ ଗ୍ୟାଙ୍ଗଷ୍ଟର ଆକ୍ଟରେ ଜବତ କରାଯାଇଛି।
Comments are closed.