ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ । ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଯାଇଥିଲେ ଯୁବକ । ବେହରଣ ଦ୍ବାର ନିକଟରେ ସନ୍ଦେହ ହେବାରୁ ଯୁବକଙ୍କୁ ଧରିଛି ପୋଲିସ । ଯୁବକ ଜଣକ ପୁରୀ ଗଜପତି ନଗରର ହୋଇଥିବା ସୂଚନା ।
ପୋଲିସର ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ନିଜ ଚଷମାରେ ଲେନ୍ସ ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲକୁ ଟ୍ରାନ୍ସଫର ହେଉଥିଲା । ବେହରଣ ଦ୍ଵାର ନିକଟରେ ଯୁବକଙ୍କ ଗତିବିଧି ଉପରେ ସନ୍ଦେହ କରି ପୋଲିସ ତାଙ୍କୁ ଧରି ସିଂହଦ୍ୱାର ଥାନାର କଣ୍ଟ୍ରଲ ରୁମରେ ଜିମା ଦେଇଛନ୍ତି ।
ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ଏପରି କାଣ୍ଡ ଘଟାଇଲେ ସେନେଇ ପଚରା ଉଚରା ସହ ଘୋଳତାଡ ଆରମ୍ଭ କରିଛି ପୋଲିସ । ଏହି ଖବର ପ୍ରସାରିତ ହେବା ପରେ ଜଗନ୍ନାଥପ୍ରେମୀ ମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।
ଅନ୍ୟପଟେ, ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ନିଜେ ଉଲ୍ଲଂଘନ କରିଛି ଏଏସଆଇ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ଫଟୋ ପୋଷ୍ଟ କରିଥିଲା । ରତ୍ନଭଣ୍ଡାର ନୂତନ ଜୀବନ ପାଇଲା ବୋଲି କିଛି ଫଟୋକୁ ସୋସିଆଲ ଏକ୍ସରେ ପୋଷ୍ଟ କରି ହଟହଟା ହୋଇଛି ଏଏସଆଇ । ଫଟୋ ପୋଷ୍ଟକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିବାରୁ ବିଳମ୍ବିତ ରାତିରେ ଫଟୋ ଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ଏଏସ୍ଆଇ କର୍ତ୍ତୃପକ୍ଷ ।
Comments are closed.