Latest Odisha News

ସୁଧୁରୁଛି ଧାମନଗର: ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ପୋଲିସ୍ ଡିଜି

ଭଦ୍ରକ: ଭଦ୍ରକ ଧାମନଗରରେ ଗ୍ରାଉଣ୍ଡ ସ୍ଥିତି ପରଖିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ସ୍ବତନ୍ତ୍ର ବୈଠକ କରିଛନ୍ତି। ଜିଲ୍ଲାରେ କିଭଳି ଶାନ୍ତି ଫେରାଇ ଆଣି ହେବ ସେ ବିଷୟରେ ବୈଠକ ଆଲୋଚନା କରିଥିବା ସୂଚନା ମିଳିଛି। ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜି ।

ସେପଟେ ଏବେ ସ୍ଥିତି ଟିକେ ସୁଧୁରିଥିଲେ ମଧ୍ୟ ଏବେ ବଳବତ୍ତର ରହିଛି ୧୬୩ ଧାରା । ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ବନ୍ଦ ରହିଛି ଇଣ୍ଟରନେଟ୍ ସେବା । କିଛି କିଛି ସ୍ଥାନରେ ସ୍ଥିତି ସୁଧୁରୁଥିଲେ ମଧ୍ୟ ଏବେ ବି ଅନ୍ୟ କିଛି ସ୍ଥାନରେ ଚାପା ଉତ୍ତେଜନା ଜାରି ରହିଛି । ଏଥିପାଇଁ ଭଦ୍ରକରେ ୧୨ ପ୍ଲାଟୁନ ଫୋର୍ସ ସମେତ ୧ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ଏଯାବତ ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨୭ ଜଣଙ୍କୁ ଗିରଫ କରାଗଲାଣି।

ତେବେ କହିରଖୁଛୁ, ସାମାଜିକ ଗଣମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଜଣେ ବ୍ୟକ୍ତିଙ୍କ ମନ୍ତବ୍ୟକୁ ନେଇ ଅଶାନ୍ତ ହୋଇଛି ଭଦ୍ରକ ସହର। ଉକ୍ତ ସଂପ୍ରଦାୟର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଦାବିରେ ଶୁକ୍ରବାର ଅପରାହ୍ଣରେ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଭଦ୍ରକ ତହସିଲଦାର ଓ ପୁରୁଣା ବଜାର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହିତ ରାସ୍ତାରୋକରୁ ଓହରି ଯିବାକୁ କହିଥିଲେ। ହେଲେ ଆନ୍ଦୋଳନକାରୀ ପୋଲିସ୍ ଉପରକୁ ଆକ୍ରମଣ କରିଥିଲେ। ଫଳରେ ତିନି ଜଣ ପୁଲିସ ଅଧିକାରୀ ସହିତ ଆଉ କିଛି କର୍ମଚାରୀ ଆହତ ହୋଇଥିଲେ। ଭଦ୍ରକ ତହସିଲଦାରଙ୍କ ଗାଡ଼ିକୁ ମଧ୍ୟ ଆନ୍ଦୋଳନକାରୀ ଭାଙ୍ଗି ଦେଇଥିଲେ। ଏମିତିକି ଏହି ଘଟଣାକୁ ନେଇ ଧାମନଗର ଥାନା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଏହା ପରଠାରୁ ୧୬୦ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିଛି ।

Leave A Reply

Your email address will not be published.