ଭୁବନେଶ୍ୱର: ବହୁଚର୍ଚ୍ଚିତ ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁକୁ ୨ବର୍ଷ ବିତିଯାଇଥିଲେ ବି ଏଯାଏଁ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କି ଦୋଷୀଙ୍କୁ ଗିରଫ ମଧ୍ୟ କରାଯାଉନାହିଁ । ଏହି ଘଟଣାରେ ରାଜ୍ୟ ସରକାରଙ୍କ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ବର୍ତମାନର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସଂପୃକ୍ତି ଥିବା କାରଣରୁ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବାକୁ ଜୋରସୋର ପ୍ରୟାସ କରାଯାଇଥିଲା ବୋଲି ବିଜେପି ନେତା ଠାକୁର ରଣଜିତ ଦାସ କହିଛନ୍ତି।
ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମାନ୍ୟବର ଅଦାଲତ ଅଭିଯୁକ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସତ୍ୱେ କାହିଁକି ଏଯାଏଁ ପୋଲିସ ଗିରଫ କରୁନାହିଁ? ମନ୍ତ୍ରୀ ଶ୍ରୀ ଆରୁଖ ଏବଂ ଶାସକ ବିଜୁ ଜନତା ଦଳ ଡିଏଫଓଙ୍କ ପଛରେ ଢ଼ାଲ ହୋଇ ରହିଥିବା କାରଣରୁ କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍ ଦାସ କହିଛନ୍ତି।
ଶାସକ ଦଳର ହାତ ବାରିସ ସାଜି ପୋଲିସ ସୌମ୍ୟଙ୍କ ହତ୍ୟାକୁ ଦୁର୍ଘଟଣାର ରୂପ ଦିଆଯାଇ ଡିଏଫଓ ଓ ପତ୍ନୀ ବିଦ୍ୟାଭାରତୀଙ୍କୁ ସୁରକ୍ଷା ଦିଆଯାଉଥିଲା । ଆଜି ଯେତେବେଳେ କୋର୍ଟରୁ ନ୍ୟାୟ ମିଳିଛି ପୋଲିସ ଶାସକ ଦଳର ମନ୍ତ୍ରୀଙ୍କ କଥାରେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦେବାରେ ବଂଚିତ ରଖିଛନ୍ତି । ୨୪ଘଂଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସୌମ୍ୟଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଶ୍ରୀ ଦାସ ଦାବି କରିଛନ୍ତି।
Comments are closed.